Unknown

 

 

 

 

 

 

 

 

 

 

ଜ୍ୟୋତିଷସାର

ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ

 

ପ୍ରଥମ ଛାନ୍ଦ

ରାଗ-ଦେଶାକ୍ଷ

 

କରଇଁ ବନ୍ଦନ ଗିରିଜାନାଥ ।

ପଞ୍ଚମୁଖ ତିନିନେତ୍ର ଶୋଭିତ ।

ଶିରେ ଜଟାଭାର କି ମନୋହର ।

କରନ୍ତି ଗଙ୍ଗା ତହିଁରେ ବିହାର ।

ଶେଖରେ ଶୋଭା ରଜନୀଧବ ।

ଭକ୍ତଭାବେ ବଶ ଶ୍ରୀ ସଦାଶିବ ।୧।

 

ଆହେ ଗିରିସୁତା-କାନ୍ତ ତ୍ରିନେତ୍ର ।

ପୂରାଅ ମୋ ମନୋବାଞ୍ଛା ଝଟିତ ।

ଶିଶୁଙ୍କ ହିତରେ ଜ୍ୟୋତିଷସାର ।

କରିବି ବିଖ୍ୟାତ ଦେଶଭାଷାର ।

ମୋ ଠାରେ ହୁଅ ପ୍ରସନ୍ନଚିତ୍ତ ।

ତବ ପାଦେ ସେବା ମୋର ନିରତ ।୨।

 

ଶୁଣ ସୁବୁଦ୍ଧି ପଣ୍ଡିତନିକର ।

ଏ ରୀତିରେ ମୋର ଦୋଷ ନ ଧର

 

ଅଳପ ପରିଶ୍ରମରେ ବାଳକେ ।

ଜାଣିବେ ଜ୍ୟୋତିଷଫଳକୁ ଠିକେ

ଏହା ମୋ ମନେ ହେଉଁ ଆଭାଷ ।

କରେଁ କିଛି କିଛି ଭାବ ପ୍ରକାଶ ।୩।

 

ଶୁଣ ସୁଚତୁର ବାଳକଗଣ ।

ପ୍ରଥମେ ସଂଜ୍ଞା କରୁଛି ବଖାଣ ।

ତହିଁ ଉତ୍ତାରେ ଶତ୍ରୁ ମିତ୍ର ରୀତି ।

ତତ୍ପରେ ଲଗ୍ନବିଚାର ଝଟତି ।

ତା’ ପରେ ଚକ୍ରପାତ ବିଚାର ।

ଦଶା ଅନ୍ତରାଦି ପାଞ୍ଚପ୍ରକାର ।୪।

 

ଏ ସବୁ ଉତ୍ତାରେ ଯେ ଫଳାଫଳା ।

କହିବି ମୋହର ଯେତେକ ବଳ ।

ମେଷ ବୃଷ ମିଥିୁନ ଯେ କର୍କଟ ।

ସିଂହ କନ୍ୟା ତୁଳା ବିଛା ପ୍ରକଟ ।

କାର୍ମୂକ ମକର ଯେ ବିଦିତ ।

କୁମ୍ଭ ମୀନ ବାର ରାଶି ଉକତ ।୫।

 

ମେଷ ବିଛା ମଙ୍ଗଳର ଯେ ସ୍ଥାନ ।

ବୃଷ ତୁଳା ଶୁକ୍ର ଗ୍ରହର ଘେନ ।

ମିଥୁନ କନ୍ୟା ବିଦିତ ବୁଧର ।

କର୍କଟ ଚନ୍ଦ୍ରର ସିଂହ ରବିର ।

କାର୍ମୂକ ମୀନ ବୃହସ୍ପତ୍ତିର ।

ମକର କୁମ୍ଭକୁ ଜାଣ ଶନିର ।୬।

 

ରାହୁର କନ୍ୟାସ୍ଥାନ ବୋଲି ଜାଣ ।

ମିଥୁନ ଉଚ୍ଚ ଅଟଇ ବଖାଣ ।

ରାହୁ ସପ୍ତମରେ କେତୁର ବାସ ।

ଏଣୁ କରି ମୀନ ଗୃହ ପ୍ରକାଶ ।

ଏଣିକି ଲଗ୍ନାଦିର ଯେ ନାମ ।

କହିବା ବୁଝ ହେ ଶିଶୁଉତ୍ତମ ।୭।

 

ଦେହ ଦ୍ରବ୍ୟ ପରାକ୍ରମ ଯେ ସୁଖ ।

ସୁତ ଶତ୍ରୁ ଜାୟା ଆଦିଟି ଲେଖ ।

ମରଣ ଧର୍ମ କର୍ମ ଲାଭ ବ୍ୟୟ ।

ଏ ବିଧରେ ବାର ନାମ ଉଦୟ ।

 

ଲଗ୍ନରଠାରୁ ତ୍ୱାଟଇ ଜାଣ ।

ଏକ ଏକ କରି କହିବା ଶୁଣ ।୮।

 

ଅଙ୍ଗାଦି ବପୁ କଲ୍ୟ ତନୁମୂର୍ତ୍ତ ।

ଉଦୟ ଲଗ୍ନର ନାମ ବିଖ୍ୟାତି ।

କୁଟୁମ୍ବ କୋଷ ସ୍ୱ ଧନ ନୟନ ।

ଦ୍ୱିତୀୟର ଏହୁ ନାମଟି ଘେନ ।

ସହଜ ଭ୍ରାତୃ ଦୁଶ୍ଚିକ୍ୟ ଏହି ।

ତୃତୀୟ ନାମ ବୁଝ ମନ ଦେଇ ।୯।

 

ମାତୃ ପାତାଳ ଯେ ହିବୁକ ନୀର ।

ଗୃହ ସୁହୃଦ ବାହନ ଆବର ।

ଯାନ ଜଳ ନାମ ଯେତେକ ଘେନ ।

ବନ୍ଧୁ ତୁର୍ଯ୍ୟ ଏହୁ ଚତୁର୍ଥ ନାମ ।

ତନୁଜ ସୁତ ବୁଦ୍ଧି ବଚନ ।

ବିଦ୍ୟା ବିଚାରାଦି ପଞ୍ଚମ ଘେନ ।୧୦।

 

ବଇରି ଶତ୍ରୁ ରିପୁ ଆଦି କ୍ଷତି ।

ଷଷ୍ଠର ନାମ ଏ ବୁଝ ପଣ୍ଡିତ ।

 

ଯାମିତ୍ର ଅସ୍ତ ମଦନ କଳତ୍ର ।

ପୁନଶ୍ଚ ଦ୍ୟୁନ ଯେ ସପ୍ତମ ଉକ୍ତ ।

ମରଣ ଆୟୁ ଛିଦ୍ର ନିଧନ ।

ଯାମ୍ୟ ରନ୍ଧ୍ରଲୟ ଅଷ୍ଟମନାମ ।୧୧।

 

ଗୁରୁ ଧର୍ମ ଶୁଭ ଭାଗ୍ୟ ଯେ ତପ ।

ମୋକ୍ଷ ନବମ ନାମ ନୁହେ ଗୋପ୍ୟ

ଆଜ୍ଞା ତାତ ନଭ କର୍ମ ଗଗନ ।

ବ୍ୟୋମ ବ୍ୟାପାର ଦଶମକୁ ଘେନ

ଆଗମ ଆୟ ଦୁଥି ଯେ ପ୍ରାନ୍ତ ।

ଅନ୍ତିମ ଏ ଏକାଦଶ ଉକତ ।୧୨।

 

ନିଫ ବ୍ୟୟ ବୋଲି ଦ୍ୱାଦଶ ନାମ ।

ଲ ଚ ସ ଦ କେନ୍ଦ୍ର ବୁଝ ଉତ୍ତମ

ଅଷ୍ଟ ଏକାଦଶ ପଞ୍ଚ ଦ୍ୱିତୀୟ ।

ଆପୋକ୍ଳିମ ବୋଲି ନାମ ଉଦୟ

ତିନି ଛପୁଣି ଘେନ ନବମ ।

ବାର ପଣ ଫର ଜାଣ ଉତ୍ତମ ।୧୩।

 

କଣ୍ଟକ ଚାତୁଷ୍ଠୟ କେନ୍ଦ୍ର ନାମ ।

ତ୍ରିକ ଯେ ଦ୍ୱାଦଶ ଷଷ୍ଠ ଅଷ୍ଟମ ।

ତ୍ରିକୋଣ ନବମ ପଞ୍ଚମ ଦୁଇ ।

ଏପରି କିଛି କିଛି କହିଲାଇଁ ।

ଏଣିକି ବୁଝ ଅନ୍ୟ ଚରିତ ।

ଗ୍ରହ ମିତ୍ରାମିତ୍ର କରେ ଉକତ ।୧୪।

 

ରବି ମିତ୍ର ଚନ୍ଦ୍ର ଜୀବ ମଙ୍ଗଲ ।

ସମ ବୁଧଗ୍ରହ ଅଟେ କେବଳ ।

ଶନି ଶୁକ୍ର ଦୁହେଁ ଶତ୍ରୁ ଅଟନ୍ତି ।

ଚନ୍ଦ୍ର ମିତ୍ର ରବି ବୁଧ ବିଖ୍ୟାତି ।

ଆଉ ଯେ ସର୍ବେ ସମାନ ଜାଣ ।

ଚନ୍ଦ୍ରର ଶତ୍ରୁ କାହାକୁ ନ ଗଣ ।୧୫।

 

ମଙ୍ଗଳ ମିତ୍ର ଜୀବ ଚନ୍ଦ୍ର ରବି ।

ବଇରି କେବଳ ବୁଧକୁ ଭାବ ।

ଶନି ଶୁକ୍ର ତାର ଅଟନ୍ତି ସମ ।

ବୁଧ ମିତ୍ର ଶୁକ୍ର ରବି ଜାଣିମ ।

 

ବଇରି ତାର ଅଟଇ ସୋମ ।

କୁଜ ଜୀବ ରବି ଏମାନେ ସମ ।୧୬।

 

ଜୀବ ମିତ୍ର ରବି ଚନ୍ଦ୍ର ମଙ୍ଗଳ ।

ସମ ଶନିଗ୍ରହ ଅଟେ କେବଳ ।

ଶତ୍ରୁ ବୁଧ ଶୁକ୍ର ଶୁଣ ପାଠକେ ।

ଶୁକ୍ର ମିତ୍ର ବୁଧ ଶନି ଯେ ଠିକେ ।

ସମାନ ଜୀବ ଭୂମିନନ୍ଦନ ।

ସହଜ ଶତ୍ରୁ ରବି ଚନ୍ଦ୍ର ଘେନ ।୧୭।

 

ଶନି ମିତ୍ର ଶୁକ୍ର ବୁଧ ଏ ଦୁଇ ।

ସମ ବୃହସ୍ପତି ଏକା ଅଟଇ ।

ରବି ଚନ୍ଦ୍ର ମଙ୍ଗଳ ଯେ ବଇରି ।

ରାହୁ ମିତ୍ର ଶୁକ୍ର ଶନି ବିଚାରି ।

ବଇରି ରବି ଚନ୍ଦ୍ର ମଙ୍ଗଳ ।

ଆଉମାନେ ସମ ଜାଣ ସକଳ ।୧୮।

 

ଏବେ ଗ୍ରହ ଦୃଷ୍ଟି ଶୁଣ ସୁଜନ ।

ଦଶମ ତୃତୀୟେ ପାଦେ ଦର୍ଶନ ।

 

ପାଦ ଦୃଷ୍ଟି ନବ ପଞ୍ଚମରେ ।

ତ୍ରିପାଦ ଦୃଷ୍ଟି ଚାରି ଆଠ ଘରେ

ସପ୍ତମେ ପୂର୍ଣ୍ଣ ଦୃଷ୍ଟି ପଡ଼ଇ ।

ସବୁ ଗ୍ରହଙ୍କର ଏ ରୀତି ହୋଇ ।୧୯।

 

ଉଇ ଦଶଅଂଶ ମେଷରେ ।

ବୃଷରେ ଚନ୍ଦ୍ରମା ଦିନଅଂଶରେ ।

ଅଠାଇଶଅଂଶେ ଭୌମ ମକରେ ।

କନ୍ୟାରେ ବୁଧ ପନ୍ଦରଅଂଶରେ ।

କର୍କଟେ ପାଞ୍ଚଅଂଶରେ ଜୀବ ।

ଉଚ୍ଚ ଚାଟନ୍ତିଟି ବିଚାରି ଭାବ ।୨୦।

 

ସତାଇଶ ଅଂଶେ ଶୁକ୍ର ମୀନରେ ।

କୋଡ଼ିଏଅଂଶରେ ଶନି ତୁଳାରେ

ଉଚ୍ଚ ଏହିକ୍ରମେ ସକଳ ଗ୍ରହ ।

ନୀଚ ଉଚ୍ଚସ୍ଥାନ ସପ୍ତମଗୃହ ।

ବିଚାରି ବୁଝ ପାଠକବୃନ୍ଦ ।

କହେ ଭାଷାରେ କପିଳେଶନନ୍ଦ ।୨୧।

 

ଦ୍ୱିତୀୟ ଛାନ୍ଦ

ରାଗ-ମଙ୍ଗଳ

 

ରବି ସୋମ ମଙ୍ଗଳ ଯେ ବୁଧ ଗୁରୁବାର ।

ଶୁକ୍ର ଶନି ସହିତରେ ଜାଣ ସାତବାର ।୧।

 

ରବି ଶୁକ୍ରବାରେ ପଶ୍ଚିମକୁ ନ ଗମିବ ।

ଶନି ସୋମବାରେ ପୂର୍ବଦିଗେ ଶୂଳ ଭାବ ।୨।

 

ବୁଧ ଗୁରୁ ଉତ୍ତରେ ଦକ୍ଷିଣେ ନୋହେ ଶୁଭ ।

ଶନି ମଙ୍ଗଳବାରରେ ଉତ୍ତରରେ ନ ଯିବି ।୩।

 

ରବିବାରେ ଷୋଳଦଣ୍ଡଠାରୁ ଚାରିଦଣ୍ଡ ।

ସୋମବାରେ ଚାରିଦଣ୍ଡଠାରୁ ଚାରିଦଣ୍ଡ ।୪।

 

ମଙ୍ଗଳେ କୋଡ଼ିଏଠାରୁ ଚାରିଦଣ୍ଡ ଘେନ ।

ବୁଧେ ଆଠଦଣ୍ଡଠାରୁ ଚାରିଦଣ୍ଡ ମାନ ।୫।

 

ଗୁରୁବାରେ ଚବିଶଠାବରୁ ଦଣ୍ଡଚାରି ।

ଶୁକ୍ରେ ବାରଦଣ୍ଡଠାରୁ ଚାରି ଯେ ବିଚାରି ।୬।

 

ଶନିବାରେ ଉଦୟ ଅସ୍ତରେ ଚାରି ଚାରି ।

ବାରବେଳା ଅଟେ ଏହୁ ବୁଝ ହେ ବିଚାରି ।୭।

 

ରବିରେ ବପନ ହେଲେ ଦୁଃଖ ଯେ ମିଳଇ ।

ସୋମ ବୁଧବାରେ ଅଟେ ମହା ସୁଖଦାୟୀ ।୮।

 

ମଙ୍ଗଳ ଶନିରେ ନିଶ୍ଚେ ମୃତ୍ୟୁର ପ୍ରକାଶ ।

ଗୁରୁବାରେ ମାନହାନି ଶୁକ୍ରେ ପୁତ୍ର ନାଶ ।୯।

 

ତିଥିର ବିଚାର ଏବେ କହୁଥାଇଁ ଘେନ ।

ପ୍ରତିପଦା ଦ୍ୱିତୀୟା ତୃତୀୟା ଜାଣ ମନ ।୧୦।

 

ଚତୁର୍ଥୀ ପଞ୍ଚମୀ ଷଷ୍ଠୀ ସପ୍ତମୀ ଅଷ୍ଟମୀ ।

ନବମୀ ଦଶମୀ ଏକାଦଶୀ ଆଦି ଘେନି ।୧୧।

 

ଦ୍ୱାଦଶୀ ଯେ ତ୍ରୟୋଦଶୀ ଚତୁର୍ଦ୍ଦଶୀ ପୁଣ ।

କୃଷ୍ଣେ ଅମାବାସ୍ୟା ଶୁକେ ପୂର୍ଣ୍ଣିମାକୁ ଜାଣ ।୧୨।

 

ପ୍ରତିପ ନବମୀରେ ଯୋଗିନୀ ପୂର୍ବେ ଥାଇ ।

ତୃତୀୟା ଏକାଦଶୀରେ ଅଗ୍ନି କୋଣେ ଯାଇ ।୧୩।

 

ପଞ୍ଚମୀ ତ୍ରୟୋଦଶୀରେ ଦକ୍ଷିଣେ ବିହରେ ।

ଚତୁର୍ଥୀ ଦ୍ୱାଦଶୀରେ ଯେ ନୈର୍ଋତେ ସଞ୍ଚରେ ।୧୪।

 

ଷଷ୍ଠୀ ଚତୁର୍ଦ୍ଦଶୀରେ ପଶ୍ଚିମଦିଗେ ଥାଇ ।

ସପ୍ତମୀ ପୋର୍ଣ୍ଣମୀରେ ବାୟବକୋଣେ ଯାଇ ।୧୫।

 

ଦ୍ୱିତୀୟା ଦଶମୀରେ ଉତ୍ତରଦିଗେ ଘର ।

ଅଷ୍ଟମୀ ଅମାବାସ୍ୟାରେ ଐଶାନ୍ୟ ସଞ୍ଚାର ।୧୬।

 

ଯୋଗିନୀ ଦିଗମାନଙ୍କୁ ମୁଖ କରିଥାଇ ।

ସମ୍ମୁଖେ ପଡ଼ିଲେ ବେଗେ ଗୋଡ଼ାଇଁ ଧରଇ ।୧୭।

 

ଯାତ୍ରା ସମୟେ ସମ୍ମୁଖେ ଦକ୍ଷିଣେ ଯୋଗିନୀ ।

ରହିଲେ ଅବଶ୍ୟ ମୃତ୍ୟୁ କରଇ ଭବାନୀ ।୧୮।

 

ବାମଭାଗେ ରହିଲେ ମଙ୍ଗଳ ସମ୍ପାଦଇ ।

ପୃଷ୍ଠଭାଗେ ଥିଲେ ସର୍ବ ଅର୍ଥକୁ ଦିଅଇ ।୧୯।

 

ସବୁ ତିଥି ଶେଷ ନବଦଣ୍ଡ ଅତି ଦୋଷ ।

ଯାତ୍ରା କଲେ ନିଶ୍ଚେ ତହିଁ ହାନି ଯେ ଅଶେଷ ।୨୦।

 

ପ୍ରତିପ ଷଷ୍ଠୀ ଯେ ଏକାଦଶୀ ନନ୍ଦା ଜାଣ ।

ଦ୍ୱିତୀୟା ସପ୍ତମୀ ଦ୍ୱାଦଶୀ ଯେ ଭଦ୍ରା ପୁଣ ।୨୧।

 

ତୃତୀୟା ଅଷ୍ଟମୀ ତ୍ରୟୋଦଶୀ ଜୟା ହୋଇ ।

ଚତୁର୍ଥୀ ନବମୀ ଚତୁର୍ଦ୍ଦଶୀ ରିକ୍ତା କହି ।୨୨।

 

ପଞ୍ଚମୀ ଦଶମୀ ପୂର୍ଣ୍ଣମୀ ବା ଅମାବାସ୍ୟା ।

ପୂର୍ଣ୍ଣା ତିଥି ଅଟେ ଏହୁ ଜ୍ୟୋତିଷର ଭାଷା ।୨୩।

 

ଏକଦିନେ ତିନିତିଥି ଯେବେ ହୋଏ ଭୋଗ ।

ତ୍ର୍ୟହ ସ୍ପର୍ଶ ତାକୁ କହି ନୋହେ କର୍ମ ଯୋଗ ।୨୪।

 

ବିବାହ ଯାତ୍ରାଦି ଶୁଭକର୍ମ ନ କରିବ ।

ସ୍ନାନ ଦାନେ ସହସ୍ରୁଁ ଅଧିକ ଫଳ ହେବ ।୨୫।

 

ଧନୁ ମୀନେ ଦ୍ୱିତୀୟାକୁ ଦଗ୍ଧା ବୋଲି କହି ।

ବୃଷ କୁମ୍ଭେ ଦଗ୍ଧା ତିଥି ଚତୁର୍ଥୀ ବୋଲାଇ ।୨୬।

 

ମେଷ କର୍କଟରେ ଷଷ୍ଠୀ ତିଥି ଦଗ୍ଧା ହୋଏ ।

କନ୍ୟା ମିଥୁନରେ ଦଗ୍ଧା ଅଷ୍ଟମୀ ବୋଲାଏ ।୨୭।

 

ବିଛା ସିଂହେ ଏକାଦଶୀ ହୁଅଇ ଯେ ଦଗ୍ଧା ।

ମକର ତୁଳାରେ ଦ୍ୱାଦଶୀ ଯେ କରେ ବାଧା ।୨୮।

 

ବିବାହେ ସ୍ତ୍ରୀ ବିଧବା ବାଣିଜ୍ୟେ ମୂଳକ୍ଷୟ ।

କୃଷିକର୍ମେ ଶସ୍ୟହାନି ଯୁଦ୍ଧେ ପରାଜୟ ।୨୯।

 

ଯାତ୍ରା କଲେ ବହୁ ବିଘ୍ନ ହୁଏ ଉପସ୍ଥିତ ।

ନିଷ୍ଫଳ ସକଳ କର୍ମ ଜଗତେ ବିଦିତ ।୩୦।

 

ନକ୍ଷତ୍ର ବିଚାର ଏବେ ଶୁଣ ହେ ସୁଧୀର ।

ଅଶ୍ୱିନୀ ଦ୍ୱିଜା କୃତ୍ତିକା ରୋହିଣୀ ବିଚାର ।୩୧।

 

ମୃଗଶିରା ଆର୍ଦ୍ରା ପୁନର୍ବସୁ ପୁଷ୍ୟାଶ୍ଳେଷା ।

ମଘା ପୂର୍ବଫାଲ୍ଗୁନୀ ଯେ ବୁଝ ସୁମନୀଶା ।୩୨।

 

ଉତ୍ତରାଫାଲ୍‌ଗୁନୀ ହସ୍ତ ଚିତ୍ରା ଶ୍ୱାତି ପୁଣ ।

ବିଶାଖା ଯେ ଅନୁରାଧା ଜ୍ୟେଷ୍ଠା ମୂଳା ଘେନ ।୩୩।

 

ପୂର୍ବାଷାଢ଼ା ଯେ ଉତ୍ତରାଷାଢ଼ା ତ ଶ୍ରବଣା ।

ଧନିଷ୍ଠାଟି ଶତଭିଶା ପୂର୍ବଭାଦ୍ର ଗଣା ।୩୪।

 

ଉତ୍ତରଭାଦ୍ର ରେବତୀ ଆଦି ସପ୍ତାବିଂଶ ।

ନକ୍ଷତ୍ର ଏ ଅଟେ ଜାଣ ଜ୍ୟୋତିଷର ଭାଷ ।୩୫।

 

ଦ୍ୱାଦଶରାଶିକି ଶୁଣ ହେ ପାଠକଗଣ ।

ମେଷ ବୃଷ ମିଥୁନ କର୍କଟ ସିଂହ ଘେନ ।୩୬।

 

କନ୍ୟା ତୁଳା ବିଛା ଧନୁ ମକର ଯେ କୁମ୍ଭ ।

ମୀନ ଏହି ଦ୍ୱାଦଶରାଶିଟି ମନେ ଭାବ ।୩୭।

 

ସତାଇଶ ନକ୍ଷତ୍ରକୁ ବାରଗୋଟି ରାଶି ।

ନବ ନବ ପାଦେ ଭୋଗ କରନ୍ତି ବିଶେଷି ।୩୮।

 

ଅଶ୍ୱିନୀ ଦ୍ୱିଜାର ଚାରି ଚାରି ଆଠପାଦ ।

କୃତ୍ତିକାଋ ପାଦେ ମେଷରାଶି ନବପାଦ ।୩୯।

 

କୃତ୍ତିକାଋ ତିନିପାଦ ରୋହିଣୀ ଯେ ଚାରି ।

ମୃଗଶିରାର ଦୁଇପାଦ ବୃଷେ ଧରି ।୪୦।

 

ଏହିପରି ନବ ନବ ପାଦେ ବାରରାଶି ।

ସତାଇଶ ନକ୍ଷତ୍ରକୁ ଭଜନ୍ତି ବିଶେଷି ।୪୧।

 

ଯୋଗମାନଙ୍କର ନାମ ଶୁଣ ହେ ସୁଜନ ।

ଯଥାବିଧିରେ କହିବା ହୁଅ ସାବଧାନ ।୪୨।

 

ବିସ୍କୁମ୍ଭ ପ୍ରୀତି ଯେ ଆୟୁସ୍ମାନ ସଉଭାଗ୍ୟ ।

ଶୋଭନ ଯେ ଅତିଗଣ୍ଡ ସୁକର୍ମା ଏ ଯୋଗ ।୪୩।

 

ଧୃତି ଶୂଳ ଗଣ୍ଡ ବୃଦ୍ଧି ଧୃବ ଯେ ବ୍ୟାଘାତ ।

ହର୍ଷଣ ବଜ୍ର ଅସୃକ ଆଦି ବ୍ୟତିପାତ ।୪୪।

 

ବରୀୟାନ ପରିଘ ଯେ ଶିବ ସିଦ୍ଧି ସାଧ୍ୟ ।

ଶୁଭ ଶୁକ୍ଳ ବ୍ରହ୍ମ ଇନ୍ଦ୍ର ବୈଧୃତି ଏ ବୋଧ ।୪୫।

 

ଏହି ସପ୍ତାବିଂଶ ଯୋଗ ଶୁଣ ବୁଧଗଣ ।

ଏବେ କହୁଥାଇଁ ଏକାଦଶ ଯେ କରଣ ।୪୬।

 

ବବ ବାଳବ କୈଳବ ତୈତିଳ ଯେ ଗର ।

ବାଣିଜ୍ୟ ବିଷ୍ଟି ଶଙ୍କୁନୀ ଚତୁଷ୍ପାଦ ଧର ।୪୭।

 

ନାଗ କିନ୍ତୁଘ୍ନ ଏହି ଯେ ଏଗାର କରଣ ।

ତିରିଶ ତିରିଶ ଦଣ୍ଡ ଏହାଙ୍କୁ ଯେ ଜାଣ ।୪୮।

 

କୃଷ୍ଣପକ୍ଷ ତୃତୀୟା ଦଶମୀ ରାତ୍ର ବିଷ୍ଟି ।

ସପ୍ତମୀ ଚତୁର୍ଦ୍ଦଶୀର ଦିବସ ଏହିଟି ।୪୯।

 

ଶୁକ୍ଳପକ୍ଷର ଚତୁର୍ଥୀ ଏକାଦଶୀ ନିଶୀ ।

ଅଷ୍ଟମୀ ପୂର୍ଣ୍ଣିମା ଦିବା ଜାଣ ବିଷ୍ଟି ମିଶି ।୫୦।

 

ଏହିରୂପେ ଅନେକ ଅନେକ ଜ୍ୟୋତିଷରେ ।

ବିଷୟ ଅଛି କହିବା କେତେ ତା ବାକ୍ୟରେ ।୫୧।

ବୁଝି ବିଜ୍ଞଜନମାନେ ବିଚାର କରିବ ।

ବିଦ୍ୟା ଭୂଷଣ କହେ ମୋ ଦୋଷ ନ ଧରିବ ।୫୨।

 

ତୃତୀୟ ଛାନ୍ଦ

ରାଗ-ଆଷାଢ଼ଶୁକ୍ଳ

 

ଶୁଣ ଜନେ ମନ କରି ସୁସ୍ଥିର ।

କହିବା ଶୁଭଦିନର ବିଚାର ।

ବିଦ୍ୟାରମ୍ଭ କର୍ଣ୍ଣବୋଧ ସହିତ ।

ବିବାହ ବ୍ରତାଦି ହେବ ଉକତ ।

ଶୁଣି ଶିଶୁଗଣ ।

ଜ୍ୟୋତିର୍ବିଦ୍ୟାରେ ହେବେ ବିଚକ୍ଷଣ

 

ନାମକରଣ ବିଧାନକୁ ଶୁଣ ।

ଚତୁର୍ଥୀ ନବମୀ ତିଥି ମଧ୍ୟେଣ ।

ଚତୁର୍ଦ୍ଦଶୀ ଏ ତିନିତିଥି ଛାଡ଼ି ।

ଅନ୍ୟ ତିଥିରେ ଶୁଭଦିନ ଲୋଡ଼ି ।

ରବି ଶନି କୁଜ ।

ତିନିବାର ଛାଡ଼ି ଅନ୍ୟରେ ବୁଝ ।୨।

 

ତିନି ଉତ୍ତର ରୋହିଣୀ ଅଶ୍ୱିନୀ ।

ଅନୁରାଧା ସ୍ୱାତୀ ଚିତ୍ରାକୁ ଘେନି ।

ମୃଗଶିରା ହସ୍ତା ପୁଣ ରେବତୀ ।

ଧନିଷ୍ଠା ଶ୍ରାବଣା ପୁନର୍ବସୁଟି ।

ଶତଭିଷା ଏହି ।

ନକ୍ଷତ୍ରେ ନାମକରଣ ଯୋଗାଇ ।୩।

 

ଅନ୍ନପ୍ରାଶନ ଦିନ ସ୍ଥିରେ ଭାବ ।

ରବି ସୋମ ବୁଧ ଗୁରୁ ଭାର୍ଗବ ।

ଏହି ପାଞ୍ଚବାର ଶୁକଳପକ୍ଷ ।

ଦ୍ୱିତୀୟା ତୃତୀୟା ପଞ୍ଚମୀ ଲେଖ ।

ଦଶମୀ ଅଷ୍ଟମୀ ।

ତ୍ରୟୋଦଶୀ ଏହି ତିଥିଙ୍କି ଘେନି ।୪।

 

ଶ୍ରବଣା ଧନିଷ୍ଠା ଯେ ପୁଷ । ଚିତ୍ରା ।

ଶତଭିଷା ରୋହିଣୀ ମୃଗ ହସ୍ତା ।

ପୁନର୍ବସୁ ଅଶ୍ୱିନୀ ଯେ ବିଶାଖା ।

ତିନିଉତ୍ତର ଅନୁରାଧା ଲେଖା ।

ମେଘା ଜ୍ୟେଷ୍ଠା ସ୍ୱାତୀ ।

କୃତ୍ତିକା ସହିତରେ ଯେ ରେବତୀ ।୫।

 

ବେଧ ନକ୍ଷତ୍ର ବର୍ଜନ କରିବ ।

ଏରୂପେ ଅନ୍ନପ୍ରାଶନରେ ଶୁଭ ।

ଜାଣି ପାଠକେ କରିବ ବିଚାର ।

କହିବା ଚୂଡ଼ାକର୍ମର ବେଭାର ।

ସୋମ ବୁଧ ଗୁରୁ ।

ଶୁକ୍ରବାର ଏ ବାରମାନଙ୍କରୁ ।୬।

 

ଦୁଇ ତିନି ପାଞ୍ଚ ସାତ ଏଗାର ।

ଦଶ ଦ୍ୱାଦଶ ଆବର ଯେ ତେର ।

ଏହି ତିଥି ସବୁ ଅଟଇ ଶୁଭ ।

ନକ୍ଷତ୍ର ଏଣିକି ମନରେ ଭାବ ।

ସ୍ୱାତୀ ଜ୍ୟେଷ୍ଠା ହସ୍ତା ।

ଶତଭିଷା ଶ୍ରବଣାଶ୍ୱିନୀ ଚିତ୍ରା ।୭।

 

ପୁଷ୍ୟା ମୃଗଶିରା ଧନିଷ୍ଠା ଘେନି ।

ପୁନର୍ବସୁ ରେବତୀ ଯେ ରୋହିଣୀ ।

ବେଧ ବିଧ ବର୍ଜନକୁ ବିଚାରି ।

ଚୂଡ଼ାକର୍ମ କଲେ ଶୁଭ ସଞ୍ଚରି ।

ବୁଝ ହେ ବିଦୂଷ ।

ମାଘଠାରୁ ଷଡ଼ମାସେ ପ୍ରକାଶ ।୮।

 

ମାର୍ଗଶିର ମାଘ ଫାଲ୍ଗୁନମାସ ।

ବୈଶାଖ ଜ୍ୟେଷ୍ଠ ଆଷାଢ଼ ବିଶେଷ

ସୋମ ବୁଧ ଗୁରୁ ଶୁକ୍ରବାସରେ ।

ପ୍ରତିପଦା ଦ୍ୱିତୀୟା ତୃତୀୟାରେ ।

ପଞ୍ଚମୀ ଯେ ଷଷ୍ଠୀ ।

ସପ୍ତମୀ ଅଷ୍ଟମୀ ଦଶମୀ ଏଟି ।୯।

 

ଏକାଦଶୀ ଦ୍ୱାଦଶୀ ତ୍ରୟୋଦଶୀ ।

କର୍ଣ୍ଣବେଧେ ଏମାନଙ୍କୁ ପ୍ରଶଂସି ।

ଚିତ୍ରା ହସ୍ତା ପୁଷ୍ୟା ଶ୍ରବଣା ସ୍ୱାତୀ ।

ଅଶ୍ୱିନୀ ଅନୁରାଧା ଯେ ରେବତୀ ।

ମୃଗ ତ୍ରିଉତ୍ତର ।

ଧନିଷ୍ଠା ପୁନର୍ବସୁ ନକ୍ଷତ୍ରର ।୧୦।

 

ବୃଶ୍ଚିକାଦି ମିଥୁନମାସମଧ୍ୟେ ।

ରବି ଗୁରୁ ଶୁକ୍ରବାର ପ୍ରସିଦ୍ଧେ ।

ଦ୍ୱିତୀୟା ତୃତୀୟା ପଞ୍ଚମୀ ଷଷ୍ଠୀ ।

ଦଶମୀ ଏକାଦଶୀ ଦ୍ୱାଦଶୀଟି ।

ପୁଷ୍ୟା ହସ୍ତାଶ୍ୱିନୀ ।

ସ୍ୱାତୀ ପୁନର୍ବସୁ ଶ୍ରବଣା ଘେନି ୧୧

 

ଧନିଷ୍ଟା ଶତଭିଷା ଆରଦ୍ରାରେ ।

ମୂଳା ଅଶ୍ଳେଷା କୃତ୍ତିକା ଦ୍ୱିଜାରେ ।

ମଘା ବିଶାଖା ଚିତ୍ରା ତିନିପୂର୍ବ ।

ରେବତୀ ମୃଗଶିରା ଅଟେ ଶୁଭ ।

ବିଦ୍ୟାରମ୍ଭେ ଜାଣ ।

ସୋମ ବୁଧବାର ମଧ୍ୟମେ ଗଣ ।୧୨।

 

ମକର ଆଦି ମିଥୁନମାସରେ ।

ରବି ଗୁରୁ ଶୁକ୍ରଏ ତିନିବାରେ ।

ଦ୍ୱିତୀୟା ତୃତୀୟା ଷଷ୍ଠୀ ପଞ୍ଚମୀ ।

ଦ୍ୱାଦଶୀ ଏକାଦଶୀ ଯେ ଦଶମୀ ।

ଏ ତିଥିମାନଙ୍କେ ।

ନକ୍ଷତ୍ର ଏବେ ଶୁଣ ସୁବିବେକେ ।୧୩।

 

ପୁଷ୍ୟା ହସ୍ତା ମୃଗ ଶ୍ରବଣା ସ୍ୱାତୀ ।

ଧନିଷ୍ଠା ଚିତ୍ରା ଅଶ୍ୱିନୀ ରେବତୀ ।

ଜ୍ୟେଷ୍ଠା ଶତଭିଶାନକ୍ଷତ୍ରେ ଘେନ ।

ଏ ଯୋଗରେ ବ୍ରତ ଉପନୟନ ।

କଲେ ଶୁଭ ହୋଇ ।

ବୁଧ ସୋମବାରେ ମଧ୍ୟମ କହି ।୧୪।

 

କହୁଥାଇ ରଜଚକ୍ର ନିୟମ ।

ଶୁଣ ପାଠକେ ନୋହି ମନେ ଭ୍ରମ ।

ଭୂମୀରେ ଚତୁଷ୍କୋଣ କୋଷ୍ଠା ଏକ ।

ଲେଖିବ ବୃହତ୍‌କରି ବିବେକ ।

ତାକୁ ଆଠଭାଗ ।

କରି ଆଠକୋଷ୍ଠା କରିବ ବେଗ ।୧୫।

 

କୃତ୍ତିକା ରୋହିଣୀ ଯେ ମୃଗଶିରା ।

ପ୍ରଥମ କୋଷ୍ଠୀରେ ଲେଖିବ ତ୍ୱରା

ଆରଦ୍ରା ପୁନର୍ବସୁ ପୁଷ୍ୟାଶ୍ଳେଷା ।

ଦ୍ୱିତୀୟ କୋଷ୍ଠାରେ ଲିହିବ ରସା

ମଘା ପୂର୍ବୋତ୍ତର ।

ଫାଲଗୁନୀ ରଖିବ ତୃତୀୟର ।୧୬।

 

ହସ୍ତା ଚିତ୍ରା ସ୍ୱାତୀ ବିଶାଖା ଚାରି ।

ଚତୁର୍ଥ ଘରେ ରଖିବ ବିଚାରି ।

ଅନୁରାଧା ଜ୍ୟେଷ୍ଠା ମୂଳ ଏ ତିନି ।

ପଞ୍ଚମଗୃହେ ସ୍ଥାପିତ ସୁଜ୍ଞାନୀ ।

ପୂର୍ବୋତ୍ତରଷାଢ଼ା ।

ଅଭିଜିତ* ଶ୍ରବଣା ଷଷ୍ଠେ ଲୋଡ଼ା ।୧୭।

 

*ଉତ୍ତରାଷାଢ଼ା ଶ୍ରବଣା ଏହି ଦୁହିଙ୍କ ମଧ୍ୟରେ ଅଭିଜିତ (ଅବ୍ଜିନାମାନ୍ତର) ନକ୍ଷତ୍ର ଭୋଗ ହୁଏ ସତ୍ୟ କିନ୍ତୁ ତାହାର ତଣନା କରାଯାଏ ନାହିଁ । ଅଭିଜିତ ସ୍ଥାନରେ ୦ ଶୂନ୍ୟ ଲେଖା ଯାଏ ।

 

ଧନିଷ୍ଠା ଶତଭିଷା ପୂର୍ବଭୋଦୁ ।

ସପ୍ତମ କୋଷ୍ଠାରେ ରଖିବ ସାଧୁ ।

ଉତ୍ତରଭୋଦୁ ରେବତୀ ଅଶ୍ୱିନୀ ।

ଦ୍ୱିଜାଏ ଅଷ୍ଟମ ସ୍ଥାନରେ ଘେନି ।

ଏପରି ଲେଖିବ ।

ନକ୍ଷତ୍ର ବିଚାରି ଫଳ ଦେଖିବ ।୧୮।

 

ଯେଉଁ ନକ୍ଷତ୍ରେ ଅଙ୍ଗନାର ପୁଷ୍ପ ।

ପ୍ରଥମରେ ହୋଇଥିବ ପ୍ରକାଶ ।

ସେ ନକ୍ଷତ୍ର ଉକ୍ତ କୋଷ୍ଠାମଧ୍ୟରେ ।

ଯେଉଁ କୋଷ୍ଠାରେ ଥିବ ତାସତ୍ୱରେ

ବିଚାର କରିବ ।

ଏହିରୂପେ ଫଳାଫଳ ଧରିବ ।୧୯।

 

ପ୍ରଥମ କୋଷ୍ଠାରେ ସମ୍ପତ୍ତି ହୋଏ ।

ଦ୍ୱିତୀୟରେ ବନ୍ଧ୍ୟା ଦୋଷ ଘଟାଏ ।

ତୃତୀୟେ ସୁଭଗା ହୋଏ ସୁନେତ୍ରା ।

ଚତୁର୍ଥେ ଅପୁତ୍ରୀ ନାମେ ବିଦିତା ।

ପାଞ୍ଚେ ପୁତ୍ରବତୀ ।

ଷଷ୍ଠରେ ଘଟେ ବିଧବା ବିପତ୍ତି ।୨୦।

 

ସପ୍ତମରେ ସର୍ବଗୁଣସମ୍ପନ୍ନା ।

ଅଷ୍ଟମକୋଷ୍ଠିରେ ବେଶ୍ୟା ଭାବନା ।

ଏରୂପେ କୋଷ୍ଠିମାନଙ୍କର ଫଳ ।

ବିଚାରି ବୁଝିବ ପାଠକକୂଳ ।

ଏ ଆନ ନୁହଇ ।

ଯଥାକ୍ରମରେ ଫଳକୁ ଦିଅଇ ।୨୧।

 

ତିନି ପୂର୍ବାରେ ହେଲେ ଆଦ୍ୟଋତୁ ।

ସାତମାସ ଦୋଷ ଜାଣ ସୁହେତୁ

ମଘା ଆରଦ୍ରାରେ ପଞ୍ଚମ ମାସ ।

ଜ୍ୟେଷ୍ଠା ଦ୍ୱିଜାରେ ଦଶମାସ ଦୋଷ

ଅଶ୍ଳେଷା କୃତ୍ତିକା ।

ବରଷେ ଦୋଷ ଘଟେ ବହୁ ଶଙ୍କା ।୨୨।

 

ରବିରେ ବିଧବା ହୁଅଇ ଯୋଷା ।

ସୋମେ ପତିବ୍ରତା ମଙ୍ଗଳେ ବେଶ୍ୟା

ବୁଧରେ ସୁଭଗା ହୁଅଇ ଜାଣ ।

ଗୁରୁରେ ପତି ସଂପତ୍ତିସଂପୂର୍ଣ୍ଣ

ଶୁକ୍ରେ ପୁତ୍ରବତୀ ।

ଶନିବାରେ ହୋଏ ବନ୍ଧ୍ୟା ଯୁବତି ।୨୩।

 

ନନ୍ଦା ଭଦ୍ରା ତିଥିରେ ପତିବ୍ରତା ।

ବିପୁଳ ସମ୍ପଦ ନୋହେ ଆନତା ।

ଦ୍ୱିପାଦ ଭଗ୍ନ ଋକ୍ଷେ ଦୁଃଖ ସ୍ଥିତ ।

ପାଦଭଗ୍ନ ନକ୍ଷତ୍ରେ ଗର୍ଭପାତ ।

ପ୍ରାତେ ଶୁଚୀହୋଇ ।

ମଧ୍ୟାହ୍ନେ ପରପାକିନୀ ବୋଲାଇ ।୨୪।

 

ଅପରାହ୍ନରେ କରାଇ ଯେ ବେଶ୍ୟା ।

ନିଶାଅର୍ଦ୍ଧରେ ଯେ ମରଣ ଦଶା

ରାତ୍ରିରେ ହେଲେ ସାଧବୀ କରାଇ ।

ଦିବସେ କାମିନୀର ସୁଖଦାଇ ।

ଯେହୁ ଦୁଇସନ୍ଧ୍ୟା ।

ଅବଶ୍ୟ ନାରୀକି କରଇ ବନ୍ଧ୍ୟା ।୨୫।

 

ତ୍ରିପୂର୍ବାଭରଣୀ ଆର୍ଦ୍ରା ଅଶ୍ଳେଷା ।

ବିଧବା କରେ ଏ ଜ୍ୟୋତିଷଭାଷା

ମଘାରେ କରେ ଶୋକ ପୁଣି ବନ୍ଧ୍ୟା ।

କୃତ୍ତିକା ଜ୍ୟେଷ୍ଠାନକ୍ଷତ୍ରେ ଦରିଦ୍ରା

ଏ ନୁହଇ ଆନ

ଜ୍ୟୋତିଷବିଦ କହିଛନ୍ତି ଘେନ ।୨୬।

 

ବିଛା କୁମ୍ଭ ମେଷ ଶୁଦ୍ଧ କାଳରେ ।

ସୋମ ବୁଧ ଗୁରୁ ଶୁକ୍ରବାରରେ ।

ଚିକ୍ତାବର୍ଜିତ ପୁୀଷ୍ୟ ହସ୍ତା ସ୍ୱାତୀ ।

ପୁନର୍ବସୁ ତ୍ରିଉତ୍ତର ରେବତୀ ।

ଧନିଷ୍ଠା ରୋହିଣୀ ।

ମୃଗେ ନବବଧୂ ଯାତ୍ରାକୁ ଗଣି ।୨୭।

 

ବିବାହ ନକ୍ଷତ୍ର ବିଚାର

 

ରୋହିଣୀ ଉତ୍ତର ତ୍ରୟ ରେବତୀ ।

ମଘା ମୃଗଶିରା ହସ୍ତା ଯେ ସ୍ୱାତୀ ।

ମୂଳା ଅନୁରାଧା ଏହି ଏଗାର ।

ବିବାହ ନକ୍ଷତ୍ର ସିଦ୍ଧ ବିଚାର ।

ଧନିଷ୍ଠା ଶ୍ରବଣା ।

ଚିତ୍ରାଶ୍ୱିନୀ ଏ ମଧ୍ୟମରେ ଗଣା ।୨୮।

 

ମଘା ମୂଳାରେ ଯେ ପ୍ରଥମ ପାଦ ।

ବିବାହେ ବର୍ଜିବ ନୋହେ ଶୁଭଦ

ରେବତୀ ନକ୍ଷତ୍ରର ଶେଷ ଭାଗ ।

ବର୍ଜିବ ନୁହଇ ସେ ଶୁଭ ଯୋଗ ।

ଏ ଉତ୍ତାରୁ ଶୁଣ ।

ବିବାହ ତିଥି କରିବା ବଖାଣ ।୨୯।

 

ଅମାବାସ୍ୟା ବଷ୍ଟିଭଦ୍ରା ଯେ ରିକ୍ତା ।

ବିବାଦେ ଗ୍ରହଣ ନୋହେ ସର୍ବଥା

ଶନିବାରରେ ରିକ୍ତା ତିଥି ହେଲେ ।

ବିବାହରେ ଶୁଭ ଜ୍ୟୋତିଷ ବୋଲେ ।

କନ୍ୟା ଭାଗ୍ୟବତୀ ।

ହୋଇ ପତିପୁତ୍ରେ ଭୁଞ୍ଜେ ସମ୍ପତ୍ତି ।୩୦।

 

ରବିଜନ୍ମେ ନାରୀ ବିଧବା ହୋଇ ।

ଦ୍ୱିତୀୟରେ ବନ୍ଧୁହୀନା କରଇ ।

ଚତୁର୍ଥେ ପଞ୍ଚମେ ପତି କୁମର ।

ନାଶ ସପ୍ତମେ କଷ୍ଟ କାମବାର ।

ମୃତ୍ୟୁ ଅଷ୍ଟମରେ ।

ନବ ଦ୍ୱାଦଶେ ରୋଗ ଶୋକ କରେ ୩୧

 

ବିବାହରେ ରବି ତୃତୀୟ ଷଷ୍ଠ ।

ଦଶ ଏକାଦଶ ଶୁଭ ପ୍ରକଟ ।

ବୃହସ୍ପତିର ଦ୍ୱିତୀୟ ପଞ୍ଚମ ।

ସପ୍ତ ନବ ଏକାଦଶ ଉତ୍ତମ ।

ଏପରି ଜ୍ୟୋତିଷ ।

ପଣ୍ଡିତମାନଙ୍କର ଅଟେ ଭାଷ ।୩୨।

 

ଦେବ ପ୍ରତିଷ୍ଠା ଯୋଗ ଧୀରେ ଶୁଣ ।

ଉତ୍ତରାୟଣ ମାସରେ ପ୍ରଧାନ ।

ସୋମ ବୁଧ ଗୁରୁ ଶୁକ୍ରବାସରେ ।

ତ୍ରୟୋଦଶୀ ପଞ୍ଚମୀ ଦଶମୀରେ ।

ପୂର୍ଣ୍ଣମୀ ଦ୍ୱାଦଶୀ ।

ଏକାଦଶୀ ଶୁକ୍ଳପକ୍ଷେ ବିଶେଷି ।୩୩।

 

ପଞ୍ଚମୀ ଅଷ୍ଟମୀ କୃଷ୍ଣପକ୍ଷରେ ।

ନକ୍ଷତ୍ର କହୁଥାଇଁ ଶୁଣ ଧୀରେ ।

ରୋହିଣୀ ମୃଗ ଆରଦ୍ରା ତ୍ରିପୂର୍ବ ।

ପୁଷ୍ୟା ହସ୍ତା ସ୍ୱାତୀ ମାଧବ ।

ତ୍ରିଉତ୍ତର ମୂଳ ।

ଜ୍ୟେଷ୍ଠା ଅନୁରାଧା ରେବତୀ ଠୁଳ ।୩୪।

 

ତୁଳା କର୍କଟ ଯେ ମେଷ ମିଥୁନ ।

କୁମ୍ଭ ବୃଶ୍ଚିକ ଏ ମାସରେ ଘେନ ।

ରିକ୍ତା ଭିନ୍ନ ତିଥି ଶୁଣ ଆବର ।

ବୁଧ ଗୁରୁ ଶୁକ୍ର ଏହି ବାସର ।

ନକ୍ଷତ୍ର ବିଧାନ ।

କହୁଥାଇ ଶୁଣ ଦେଇ ସୁମନ ।୩୫।

 

ଅଶ୍ୱିନୀ ମୂଳା ଆରଦ୍ରା ରୋହିଣୀ ।

ଚିତ୍ରା ଶ୍ୱାତୀ ମୃଗ ହସ୍ତାକୁ ଘେନ ।

ପୁଷ୍ୟା ପୁନର୍ବସୁ ରେବତୀ ପୁଣି ।

ଉତ୍ତରଭାଦ୍ର ଉତ୍ତରଫାଲ୍ଗୁନୀ ।

ଏ ନକ୍ଷତ୍ରେ ଜାଣ ।

ଯେଉଁ ଯେଉଁ ଯୋଗ ବର୍ଜିବ ଶୁଣ ।୩୬।

 

ଅତିଗଣ୍ଡ ଶୂଳ ବଜ୍ର ପରିଘ ।

ବିଷ୍କୂମ୍ଭ ବ୍ୟାଘାତ ବୈଧୁତି ତ୍ୟାଗ ।

ବ୍ୟତିପାତ ଗଣ୍ଡ ତା’ ସଙ୍ଗେ ଛାଡ଼ି ।

ଏଥୁଁ ଅନଯୋଗ ଯତନେ ଲୋଡ଼ି

ଗୃହାରମ୍ଭ କର ।

ହୋଇବ ଶୁଭ ଜ୍ୟୋତିଷ ବିଚାର ।୩୭।

 

ଗୃହାରମ୍ଭେ ଉକ୍ତ ଏ ସବୁମାସ ।

ରିକ୍ତା ଭିନ୍ନତିଥି ତହିଁ ନିର୍ଦୋଷ ।

ବୁଧ ଗୁରୁ ଶୁକ୍ର ଶନିବାରରେ

ପୁଷ୍ୟା ହସ୍ତା ମୃଗାଶ୍ୱିନୀ ଚିତ୍ରାରେ ।

ଶ୍ରବଣା ରୋହିଣୀ ।

ଧନିଷ୍ଠା ଜ୍ୟେଷ୍ଠା ତ୍ରିଉତ୍ତର ପୁଣି ।୩୮।

 

ଶତଭିଷା ଅନୁରାଧା ରେବତୀ ।

ପୁନର୍ବସୁ ମୂଳା ଅବର ଶ୍ୱାତୀ ।

ଅଶୁଭ ଯୋଗମାନଙ୍କୁ ଛାଡ଼ିବ ।

ଗୃହପ୍ରବେଶ ଏ ଯୋଗେ କରିବ ।

ହେବ ଶୁଭଫଳ ।

କଦାପି ନ ଘଟିବ ଅମଙ୍ଗଳ ।୩୯।

 

ଏ ବିଧିରେ କେତେ କେତେ ବିଷୟ ।

ବିଚାର କଲେ ହୋଇବ ଉଦୟ ।

ବ୍ୟବହାର ଉପଯୋଗୀ ବିଚାରି ।

କହିଲ ପାଠକେ ବିବେକ କରି ।

ବୁଝି ଭାବ ଘେନ ।

କହେ କପିଳେଶନନ୍ଦ ଏମାନି ।୪୦।

 

ଚତୁର୍ଥ ଛାନ୍ଦ

ରାଗ-ବଙ୍ଗଳାଶ୍ରୀ

 

ବିବାହର ନାଗନାଡ଼ୀ ଆଦି କିଛି କହିବା ସୁଜନେ ଶୁଣ ।

ବିବାହ ସ୍ଥଳରେ ବରକନ୍ୟାଙ୍କର ବୁଝାଯାଏ ଯାହା ଜାଣ ।୧।

 

କୃତ୍ତିକାଠାବଋ ଦ୍ୱିଜାପରିଯନ୍ତେ ସର୍ପ ଆକାରେ ଲେଖିବ ।

ତିନିଧାଡ଼ି କରି ତହିଁରୁ ବିଚାରି ନାଗନାଡ଼ୀକି ବୁଝିବ ।୨।

 

ବରକନ୍ୟାଙ୍କର ନକ୍ଷତ୍ରଟି ଯେବେ ଏକ ଧାଡ଼ୀରେ ପଡ଼ିବ ।

ନାଗନାଡ଼ୀ ହେଲା ବୋଲି ବୁଝି ତହିଁ ବିବାହକୁ ନ କରିବ ।୩।

 

ପ୍ରଥମ ଧାଡ଼ୀରେ ରୋଗ ଜାତକରେ ମଧ୍ୟେ କନ୍ୟାପତି ନାଶ ।

ଶେଷଧାଡ଼ୀରେ ଯେ ପଡ଼ିଲେ ଜାଣିବ ନ ରଖିବ ତାଙ୍କ ବଂଶ ।୪।

 

ଅନ୍ୟ ଅନ୍ୟ ଧାଡ଼ୀମାନଙ୍କରେ ଯେବେ ଦୁହିଁକି ନକ୍ଷତ୍ର ହେବ ।

ବରାହଙ୍କ ମତେ ଶୁଭଯୋଗ ଜାଣି ବିବାହ ନିଶ୍ଚେ କରିବ ।୫।

 

କନ୍ୟା ରାଶି ଯେହୁ ତାହା ଅଷ୍ଟମରେ ଯେବେ ବରରାଶି ହେବ ।

ବରରାଶି ଷଷ୍ଠେ କନ୍ୟାରାଶି ହେଲେ ଷଡ଼ାଷ୍ଟକକୁ ଜାଣିବ ।୬।

 

ଷଡ଼ାଷ୍ଟକ ଯୋଗେ ବିବାହ ହୋଇଲେ ମନ୍ଦଫଳକୁ ଘଟାଇ ।

ଦେବତାମାନଙ୍କ ମଧ୍ୟରେ ଏପରି ରୀତି ବର୍ଜିତ ଅଟଇ ।୭।

 

ଦେବତା ମନୁଷ୍ୟ ରାକ୍ଷସ ଯେପରି ହୁଅନ୍ତି ଶୁଣ ସୁଧୀର ।

ହସ୍ତା ଶ୍ୱାତି ମୃଗଶିରା ଅଶ୍ୱିନୀ ଯେ ଶ୍ରବଣା ତହିଁ ସଙ୍ଗର ।୮।

 

ପୁଷ । ଅନୁରାଧା ରେବତୀ ଯେ ପୁନର୍ବସୁ ଏ ଦେବତା ଜାଣ ।

ମନୁଷ୍ୟ ଜାତିର ନକ୍ଷତ୍ରକୁ ଏବେ କରୁଥାଇ ଯେ ବଖାଖ ।୯।

 

ଅରଦ୍ରା ରୋହିଣୀ ତିନି ଉତ୍ତର ଯେ ଦ୍ୱିଜା ତିନି ପୂର୍ବ ଘେନି ।

ମନୁଷ୍ୟ ଅଟନ୍ତି ରାକ୍ଷସ ଗଣକୁ କହୁଥାଇ ଶୁଣ ପୁଣି ।୧୦।

 

ଜ୍ୟେଷ୍ଠା ଅଶ୍ଳେଷା ଯେ ବିଶାଖା ମୂଳାତ ଧନିଷ୍ଠାଦି ଶତଭିଷା ।

କୃତ୍ତିକା ମଘା ଚିତ୍ରା ଏ ଅସୁରଟି ଅଟେ ଜ୍ୟୋତିଷର ଭାଷା ।୧୧।

 

ନର ରାକ୍ଷସରେ ଅନିଷ୍ଟ ଘଟଇ ରାକ୍ଷସ ଦେବରେ କଳି ।

ଦେବତାରେ ନର ଭକ୍ତିକି କରଇ ସ୍ୱଜାତିରେ ହୋଏ ମେଳି ।୧୨।

 

ଏପରିରେ ଦଶମେଳକ ଅଛି ଯେ ତାହା ସବୁ ବୁଝିକରି ।

ବିବାହ କରିବା ବିଚାରିଲେ କେହି ନ ଘଟିବେ ବରନାରୀ ।୧୩।

 

ବରକନ୍ୟାଙ୍କର ଏକ ରାଶି ଏକ ନକ୍ଷତ୍ର କି ଏକ ରାଶି ।

ହୋଇଥିଲେ ଜାଣ ରାଜଯୋଟକ ଯେ ହୁଅଇ ବହୁ ପ୍ରଶଂସି ।୧୪।

 

କିବା ଏକାଦଶ ତୃତୀୟ ଯେ ସମସପ୍ତ ଦଶ ଚାରି ପୁଣ ।

ରାଶି ହେଲେ ରାଜଯୋଟକ ହୁଅଇ ନୁଅଇ ଏକଥା ଆନ ।୧୫।

 

ରାଜଯୋଟକରେ ନାଡ଼ୀ ଦୋଷ କିବା ନରରାକ୍ଷସାଦି ଦୋଷ ।

ଦଶମେଳକରେ ଯାହା କିଛି ଦୋଷ ନ ଲାଗଇ ତାହା ଲେଶ ।୧୬।

 

ଏପରି ବିଚାରି ବିବାହ କରିବା ଅଟଇ ଉତ୍ତମ ଜାଣ ।

ଜ୍ୟୋତିର୍ବିଦମାନେ କହିଅଛନ୍ତି ଯେ ନୁହଇ ଏ ଅପ୍ରମାଣ ।୧୭।

 

କନ୍ୟାରାଶି ଯୋଗେ ବିବାହ ହୁଅଇ ବରରାଶି ନ ବୁଝନ୍ତି ।

ଏପରି ନିୟମ ସର୍ବସାଧାରଣଜନେ ବିଚାରି ଅଛନ୍ତି ।୧୮।

 

ବ୍ରତର ନିୟମ ।

 

ରବି ତୃତୀୟରେ ଷଷ୍ଠେ ଦଶେ ଏକାଦଶେ ବିଦ୍ୟା ଧନ ହୋଇ ।

ପଞ୍ଚମ ଦ୍ୱିତୀୟେ ନବମରେ ରୋଗୀ ବଟୁକୁ ନିଶ୍ଚେ କରାଇ ।୧୯।

 

ଜନ୍ମ ଅଷ୍ଟମରେ ମରଣ ଘଟାଏ ଚତୁର୍ଥ ସପ୍ତ ଦ୍ୱାଦଶେ ।

କ୍ରୂର ଜଡ଼ତାକୁ ଘଟାଏ ଅବଶ୍ୟ ଶାସ୍ତ୍ରରେ ଏହା ପ୍ରକାଶେ ।୨୦।

 

ତାରଚନ୍ଦ୍ର ଶୁଦ୍ଧି କହୁ ଥାଇଁ ଏବେ ଶୁଣ ସୁବୁଦ୍ଧିବାଳକେ ।

ଯେଉଁ ଦିନ ଯେଉଁ ନକ୍ଷତ୍ର ହୋଇବ ମନେ ରଖି ତାହା ଠିକେ ।୨୧।

 

କର୍ତ୍ତା ଜନ୍ମଦିନ ନକ୍ଷତ୍ରକୁ ମୂଳ କରି ଅଙ୍ଗୁଳି ରେଖାରେ ।

ନବସଂଖ୍ୟା ଯାଏ ଗଣିମ ଚିତୋଇ ହୁଡ଼ ନୋହିବା ପ୍ରକାରେ ।୨୨।

 

ନବଋ ଅଧିକ ହେଲେ ପୁନରପି ମୂଳ ରେଖାରୁ ଗଣିବ ।

ଯେଉଁ ରେଖାଠାରେ ସେଦିନ ନକ୍ଷତ୍ର ଗଣନକ୍ରମେ ଘଟିବ ।୨୩।

 

ତାକୁ ମନେ ରଖି ମୂଳରେଖାଠାରୁ ଏହି ରୂପେ ଯେ ଗଣିବ ।

ଜନ୍ମ ସଂପଦ ବ୍ୟପଦ କ୍ଷମି ପୁଣି ପ୍ରତ୍ୟରି ସାଧକ ଭାବ ।୨୪।

 

ନିଧନ ମିତ୍ର ପରମମିତ୍ର ଏହୁ ନବତାର ହେଲା ଜାଣ ।

ଯେଉଁ ରେଖାଠାରେ ଯେଉଁ ନାମ ହେବ ତାହାକୁ କରବଖାଣ ।୨୫।

 

ଜନ୍ମ ତୃତୀୟ ପଞ୍ଚମ ସପ୍ତମ ଯେ ଅଶୁଭ ତାର ଅଟଇ ।

ଆଉ ସବୁ ଶୁଭ ଜାଣି ନାନାକାର୍ଯ୍ୟ କଲେ ଦୋଷ ନ ଘଟଇ ।୨୬।

 

ନବଗ୍ରହଙ୍କର ଶୋଚର ଫଳକୁ ଶୁଣ ଜଳେ ଦେଇ ମନ ।

ଯହିଁରେ ଯେ ଫଳ ଘଟିବ ତା ଜାଣି ହୁଅ ସର୍ବେ ସାବଧାନ ।୨୭।

 

ରବି ଜନ୍ମେ ଶତ୍ରୁ ବୃଦ୍ଧି ଦ୍ୱିତୀୟରେ ବନ୍ଧୁଭେଦକୁ କରଇ ।

ତୃତୀୟରେ ଶୁଭ ଚତୁର୍ଥରେ ଦୁଃଖ ପାଞ୍ଚେ ମିତ୍ରହାନି ହୋଇ ।୨୮।

 

ଷଷ୍ଠେ ଧନ ସାତେ ଅନିଷ୍ଟ ଅଷ୍ଟମେ ଅମାନ୍ୟ ନବମେ ଶୋକ ।

ଦଶେ କାର୍ଯ୍ୟ ସିଦ୍ଧି ଏଗାରେ ସୌଭାଗ୍ୟ ଦ୍ୱାଦଶେ ବନ୍ଧନ ଦୁଃଖ ।୨୯।

 

ଚନ୍ଦ୍ରଜନ୍ମେ ଶୁଭ ଦ୍ୱିତୀୟରେ କ୍ଳେଶ ତୃତୀୟରେ ଶତ୍ରୁମରେ ।

ଚତୁର୍ଥରେ ପୀଡ଼ା ପଞ୍ଚମରେ ଭୋଗ ଧାନ୍ୟ ଲାଭ ଯେ ଷଷ୍ଠରେ ।୩୦।

 

ସପ୍ତମେ ସ୍ତ୍ରୀଲାଭ ଆଠେ ଚକ୍ଷୁପୀଡ଼ା ନବମରେ ଭୟ ହୋଇ ।

ଦଶେ କାର୍ଯ୍ୟସିଦ୍ଧି ଏଗାରରେ ସୁଖ ଦ୍ୱାଦଶେ ଭୟ ଦିଅଇ ।୩୧।

 

ମଙ୍ଗଳଗ୍ରହର ଦ୍ୱିତୀୟ ତୃତୀୟ ଷଷ୍ଠ ଦଶ ଏକାଦଶ ।

ଶୁଭ ହୁଏ ଆଉ ଅଶୁଭ ହୁଅଇ ଜାଣିବ ଏହା ବିଦୂଷ ।୩୨।

 

ବୁଧର ଯେ ଶୁଭ ଦ୍ୱିତୀୟ ଚତୁର୍ଥ ଷଷ୍ଠାଷ୍ଟ ଦଶ ଏଗାର ।

ଦ୍ୱାଦଶ ଏତାର ଅଶୁଭ ହୁଅଇ ଚିତ୍ତରେ ବିଚାର କର ।୩୩।

 

ବୃହସ୍ପତି ଦୁଇ ପାଞ୍ଚ ସାତ ନବ ଏକାଦଶ ଶୁଭକର ।

ଆଉ ସବୁରାଶି ଅଶୁଭଫଳଦ ସନ୍ଦେହ ଏଥି ନ ଧର ।୩୪।

 

ଶୁକ୍ରର ଦ୍ୱିତୀୟ ତିନି ଚାରି ପାଞ୍ଚ ଆଠ ନବମ ଏଗାର ।

ଦ୍ୱାଦଶ ଏସବୁ ଶୁଭଫଳ ଦିଏ ଆନରେ ଅଶୁଭ ଘୋର ।୩୫।

 

ଶନିର ତୃତୀୟ ଷଷ୍ଠ ଦଶ ଏକାଦଶ ଏ ଅତି ଶୁଭଦ ।

ଆଉ ଆଉ ରାଶିମାନଙ୍କରେ ନିଶ୍ଚେ ଘଟାଇ ଦିଏ ପ୍ରମାଦ ।୩୬।

 

ରାହୁକେତୁଙ୍କର ତିନି ଷଷ୍ଠ ଦଶ ଏକାଦଶ ଶୁଭ କର ।

ଅନ୍ୟ ସବୁ ଅଟେ ଅଶୁଭ ଏକଥା ଆନ ନୁହଇ ନିକର ।୩୭।

 

ଏହିରୂପେ ଠିକ ଠିକ ଫଳ ଦେଖି କହିଲି ଗୀତବନ୍ଧରେ ।

କପିଳେଶ ବିଦ୍ୟାଭୂଷଣ କହଇ ଶୁଣରେ ସୁବିଜ୍ଞନରେ ।୩୮।

 

ପଞ୍ଚମ ଛାନ୍ଦ

ରାଗ-ରାମକେରି

 

ଶୁଣ ଜନେ ମନ ନିବେଶି ଜାତକର୍ମ ବିଚାରି ।

ଲଗ୍ନ ଆଦି ନିରୂପଣ ଯେ ଏଥି ହେବ ପ୍ରଚାର ।୧।

 

ଆଦି ଅଙ୍କ ଦଣ୍ଡ ଶେଷକୁ ଲିତା ମନେ ଘେନିବ ।

ଯେଉଁ ମାସ ଯେତେ ଦିବସ ତହିଁ ବାଣ୍ଟି ବୁଝିବ ।୨।

 

ତିନି ଚଉବନ ମେଷ ଯେ ମୀନ ଲଗ୍ନ ହୁଅଇ ।

ବୃଷ କୁମ୍ଭ ଚାରି ତେଇଶ ବୁଝ ମନକୁ ଦେଇ ।୩।

 

ମିଥୁନ ମକର ହୁଅଇ ପାଞ୍ଚ ଆଠ ପ୍ରମାଣ ।

ପାଞ୍ଚ ଅଠତ୍ରିଶ କକଡ଼ା ଧନୁ ନିଶ୍ଚୟ ଜାଣ ।୪।

 

ପାଞ୍ଚ ପଞ୍ଚତ୍ରିଶ ସିଂହ ଯେ ବିଛା ହୋଇଛି ସିଦ୍ଧ ।

କନ୍ୟା ତୁଳା ପାଞ୍ଚ ବାଇଶ ଘେନ ଆହେ ବିବୂଧ ।୫।

 

ଯେଉଁ ମାସ ଯେତେ ଦିବସେ ହେବ ଶିଶୁ ଜନମ ।

ସେହୁ ମାସ ଯେତେ ଦିବସ ତାକୁ ଆଗ ଘେନିମ ।୬।

 

ଲଗ୍ନ ଦଣ୍ଡ ଲିତା ରଖିଣ ଏକଜାତିକି କର ।

ମାସ ଦିନେ ହରି ଲବ୍ଧକୁ ଦିନକୁ ଯେ ବିଚାର ।୭।

 

ଜନ୍ମଦିନ ଯେତେ ଦିବସ ଲବ୍ଧେ ଗୁଣି ସତ୍ୱର ।

ମୂଳଅଙ୍କୁ ଫେଡ଼ି ଶେଷକୁ ଲଗ୍ନ ସ୍ଥିର ବିଚାର ।୮।

 

ଯେତେ ରହିଲା ଏ ଭାଗରେ ରବି ଉଦେ ଜାଣିବ ।

ତହୁଁ ଆନ ଲଗ୍ନ ମିଶାଇ ଦିନମାନ ଗଣିବ ।୯।

 

ଲଗ୍ନଧରାଣକୁ କହିବା ଶୁଣ ଏକଚିତ୍ତରେ ।

ଜନ୍ମ ସମୟରେ ଛାଇକି ବୁଝି ମାପ ସତ୍ୱରେ ।୧୦।

 

ଯେତେ ପାଦ ଯେତେ ଆଙ୍ଗୁଳ ହେବ ତାକୁ ରଖିବ ।

ଆଙ୍ଗୁଳ ଯେ ହେଲା ତାହାକୁ ପାଦବିଶ୍ୱା କରିବ ।୧୧।

 

ସବୁ ଅଙ୍କ ରଖି ସାତକୁ ବେଗେ ତହିଁ ମିଶାଇ ।

ଦୁଇରେ ଗୁଣନ୍ତେ ଯେ ହେଲା ହରଣ ସେ ହୁଅଇ ।୧୨।

 

ଦୁଇଶତ ଚଉଷଠିକି ରଖି ଏଥି ହରିବ ।

ଲବଧ ଯେ ହେବ ସେ ଦଣ୍ଡ ଶେଷ ଲିତା ବୁଝିବ ।୧୩।

 

ବିଶ୍ୱା ଥିଲେ ତାକୁ ବିଲିତା କର ମନକୁ ଦେଇ ।

ଲେଉଟ ଛାଇରେ ଏ ଫଳ ଦିନ ଶେଷ ଘଟଇ ।୧୪।

 

ଯେବେ ଘନାଚ୍ଛନ୍ନ* ବଶରୁ ଖରା ତରା ନ ଥିବ ।

ତେବେ ଏ ବିଧିରେ ଲଗ୍ନକୁ ବୁଝି କାର୍ଯ୍ୟ କରିବ ।୧୫।

 

କରିବ କଳନା ବେଳକୁ ତହୁଁ ନିଶ୍ୱାସ ଧରି ।

ଲଗ୍ନ ନିଶ୍ଚୟକୁ ଆଣିମ ଜନେ ମନେ ବିଚାରି ୧୬

 

*ମେଘାଚ୍ଛନ୍ନ ।

 

ମୀନ ବୃଷ ଅଳି† କର୍କଟ କନ୍ୟା ମକର ଲଗ୍ନେ ।

ଦକ୍ଷିଣନାସାରେ ପବନ ବହେ ବୁଝ ସୁମନେ ।୧୭।

 

ମେଷ ଧନୁ କୁମ୍ଭ ମିଥୁନ ସିଂହ ତୁଳ ଲଗ୍ନରେ ।

ବାମବର୍ତ୍ତୀ ହୋଏ ପବନ ବୁଝ ସ୍ଥିରମନରେ ।୧୮।

 

†ବିଚ୍ଛା ।

 

ଯେବେ ଲଗ୍ନେ ମନ ସନ୍ଦେହ ହେବ କହୁଛି ଶୁଣ ।

ଚନ୍ଦ୍ରଗ୍ରହ ଯେଉଁ ରାଶିରେ କରିଥିବେଟି ସ୍ଥାନ ୧୯

 

ସେ ରାଶିନାୟକ ଯେ ସ୍ଥାନେ ଥିବ ସେଠାଋ ଗଣ ।

ତାହା ସପ୍ତମେ ବା ତ୍ରିକୋଣେ ଲଗ୍ନ ହେବ ପ୍ରମାଣ ।୨୦।

 

ଆହୁରି କହିବା ଲଗ୍ନର ଅଛି ଯେଉଁ ବିଚାର ।

ଯେଉଁ ନକ୍ଷତ୍ରରେ ବସତି କରିଥିବେ ଭାସ୍କର† ୨୧

 

ତାହାର ସପ୍ତମ ଦ୍ୱାଦଶେ ଲଗ୍ନ ଥିଲେ ବିଚାର ।

ଦିବସଭାଗରେ ଜନମ ହୋଇଅଛି ଏ ନର ।୨୨।

 

†ରବ ।

 

ସପ୍ତଦଶ ଅବା ତେଇଶେ ଯେବେ ଥିବଟି ଲଗ୍ନ ।

ତେବେ ନିଶୀଜନ୍ମା ଅଟଇ ନୁହେ ଏ କଥା ଆନ ।୨୩।

 

ରବି ଗୁଋ ଲଗ୍ନ ଏ ତିନି ଥିଲେ ଓଜରାଶିରେ ।

ପୁରୁଷ କୋଷ୍ଠା ଏ ଜାଣିମ ସ୍ତୀରୀ ଜାଣ ସମରେ ।୨୪।

 

ମେଷ ସିଂହ ଧନୁ ଲଗ୍ନରେ ମନ୍ଦିରର ପୂର୍ବାଂଶେ ।

ଯୋଷା ପଞ୍ଚସହ ସୂତକୀଯୁକ୍ତ ଶୂକଳବାସେ ।୨୫।

 

ବୃଷ କନ୍ୟା ଆଦି ମକରେ ଗୃହ ଦକ୍ଷିଣଭାଗେ ।

ନାରୀ ଚାରିସହ ସୂତକୀ ପୀତବସନଯୋଗେ ।୨୬।

 

ମିଥୁନ ତୁଳା ବା କୁମ୍ଭରେ ଗୃହପଶ୍ଚିମଅଂଶେ ।

ସପ୍ତ ନାରୀସହ ସୂତକୀ ଯୁକ୍ତ ମଳିନବାସେ ।୨୭।

 

ମୀନ ଅଳି କକଡ଼ାରେ ଯେ ଗୃହ ଉତ୍ତରେ ଜାଣ ।

ନାରୀ ଷଟ ଅବା ତିନିରେ ରକ୍ତବସ୍ତ୍ର ଧାରଣ ।୨୮।

 

ଏରୂପେ ଲଗ୍ନକୁ ବିଚାରି ବୁଝ ଆହେ ବିଦୂଷ ।

ବଦତି ଶ୍ରୀ ବିଦ୍ୟାଭୂଷଣ କ୍ଷମା କର ମୋ ଦୋଷ ।୨୯।

 

ଷଷ୍ଠ ଛାନ୍ଦ

ରାଗ-ଆଷାଢ଼ ଶୁକ୍ରବାଣୀ

 

କରଇଁ ବନ୍ଦନ ଶଶିଭୂଷଣ ।

ପଞ୍ଚବଦନ କମଳଧାରଣ ।

ଅର୍ଦ୍ଧନାରୀଶ୍ୱର ଦିଗବସନ ।

ଅଭିଳଷିତ କର ମୋର ପୂର୍ଣ୍ଣ ।

ଜ୍ୟୋତିଷ ବିଚାର ।

କହିବି ସଂକ୍ଷେପରେ କଋଣା କର ।୧।

 

ଶୁଣ ଜନେ ମନ ଦେଇ ଏ ଗୀତ ।

କହୁଛି ଯେଉଁ ରୂପେ ଚକ୍ରପାତ

ଅନ୍ତର ପ୍ରତ୍ୟନ୍ତର ଆଦି ଘେନି

ପଞ୍ଚଦଶା* ଯେ ଦଶାଫଳ ଘେନି

ଉତ୍କଳ ବାଣୀରେ ।

ଶୁଭାଶୁଭ ବୁଝ ଏହି ଶ୍ରେଣୀରେ ।୨।

 

*ମହାଦଶା ।

 

ରବି ନିଶାକର ମଙ୍ଗଳ ତମ†

ବୃହସ୍ପତି ଶନି ବୁଧ ସପ୍ତମ ।

କେତୁ ଶୁକ୍ରଆଦି ଏ ନବଗ୍ରହ ।

ଯଥା ସଞ୍ଚରନ୍ତି ନକ୍ଷତ୍ର ବ୍ୟୂହ ।

ବୁଝ ମନ ଦେଇ ।

କୃତ୍ତିକାଠାଋ ଏ ସଂଖ୍ୟା ଅଟଇ ।୩।

 

†ଅନ୍ତର ।

 

କୃତ୍ତିକାଠାବରୁ ଭରଣୀ† ଯାଏ

ନବ ନବ ହୋଇ ଏସଂଖ୍ୟା ହୋଏ

ଅଙ୍ଗୁଳିରେଖାରେ କର ପ୍ରମାଣ ।

ଯେଉଁ ନକ୍ଷତ୍ରେ ଯେଉଁ ଗ୍ରହ ଜାଣ

ତା ସଂଖ୍ୟା ବର୍ଷରୁ ।

ଷାଠିଭାଗେ କାଟ ଭୋଗ ତହିଁଋ ।୪।

 

†ପ୍ରତ୍ୟନ୍ତର ।

 

ଷଟ୍‌ଦଶ ସାତ ଅଠର ଷୋଳ ।

ଊନବିଂଶ ସପ୍ତଦଶ ଏ ଠୂଳ ।

ସାତ କୋଡ଼ିଏ ଏରୂପେ ସଂଖ୍ୟାରେ ।

ବିଶାଶଏ ବର୍ଷ ନବଗ୍ରହରେ

ଏରୂପେ ଆୟୂଷ ।

ମନୁଷ୍ୟର ପାପୁଁ ଅଳପାୟୂଷ ।୫।

 

କୃତ୍ତିକା ଉତ୍ତରଫାଲ୍ଗୁନୀ ଘେନି ।

ଉତ୍ତରାଷାଢ଼ା ଏ ରବିର ଜାଣି ।

ରୋହିଣୀ ହସ୍ତା ଶ୍ରବଣା ଚନ୍ଦ୍ରର ।

ମୃଗଶିରା ଚିତ୍ରା ଧନିଷ୍ଟା ଅର ।

ଅରଦ୍ରା ଯେ ଶ୍ୱାତୀ ।

ଶତଭିଷା ଏ ରାହୁର ବଦତି ।୬।

 

ପୁନର୍ବସୁସହ ବିଶାଖା ଘେନ ।

ପୂର୍ବଭାଦ୍ର ବୃହସ୍ପତି ପ୍ରମାଣ ।

ଶନି ପୁଷ୍ୟା ଅନୁରାଧା ସହିତ

ଉତ୍ତରଭାଦ୍ର ଶୁଣ ଦେଇ ଚିତ୍ତ

ବୁଧର ପ୍ରମାଣ ।

ଅଶ୍ଳେଷା ଜ୍ୟେଷ୍ଠା ରେବତୀକି ଜାଣ ।୭।

 

କେତୁ ମଘା ମୂଳା ଅଶ୍ୱିନୀ ତିନି ।

ପୂର୍ବାଫାଲ୍ଗୁନୀ ପୂର୍ବାଷାଢ଼ା ବେନି ।

ଦ୍ୱିଜା ସହିତେ ଶୁକ୍ରର ଏ ମାନି ।

ସପ୍ତବିଂଶଋକ୍ଷ* ଏରୂପେ ଜାଣି ।

ନବଗ୍ରହେ ଯୁତ ।

ତିନି ତିନି ହୋଇ ଅଛି ବିଦିତ ।୮।

 

*ନକ୍ଷତ୍ର ।

 

ଜନ୍ମ ରୁକ୍ଷଋ ଯେତେ ଦଣ୍ଡ ଭୋଗ ।

ତାହାକୁ ତହିଁଋ କାଟିବ ଆଗ ।

ଯେଉଁ ଗ୍ରହ ହେବ ତାର ବରଷ ।

କରିବ ତାହାକୁ ସତ୍ୱର ମାସ ।

ଷାଠି ଭାଗେ ହର ।

ଶେଷକୁ ଦିନ ଦଣ୍ଡରେ ବିଚାର ।୯।

 

ଯେ ହେଲା ଭାଗେ ସେ ଦଣ୍ଡକୁ ଜାଣ ।

ଭୋଗ ଯେତେ ଦଣ୍ଡ ତହିଁ ଗୁଣିଣ

ମୂଳ ବର୍ଷରୁ କାଟି ଶେଷ ରଖ ।

ତହିଁ ଉତ୍ତାରୁ ଆନ ଗ୍ରହ ଲେଖ ।

ଏହୁ ଚକ୍ରପାତ ।

କହିଅଛନ୍ତି ଜ୍ୟୋତିଷପଣ୍ଡିତ ।୧୦।

 

ଅନ୍ତର ଦଶା କହିବା ହେ ଧୀର ।

ଶୁଣ ମନ ଦେଇ ଏହୁ ବିଚାର ।

ଗ୍ରହମାନଙ୍କର ଯେ ନିଜଦଶା ।

ତାକୁ ବୋଲିଟି ଏକା ମହାଦଶା ।

ମହାଦଶା ରଖି ।

ଅନ୍ତର ରୀତିକି ଘେନ ବିବେକି ।୧୧।

 

ଯାହା ଦଶାରେ ଜାତ ଯେଉଁ ଜନ ।

ତାହା ଦଶାକୁ ମୂଳ କରି ଯେ;

ସେ ଯେତେ ବର୍ଷ ମୂଳ ପିଣ୍ଡ ରଖ ।

ପୁଣ ସେହି ଅଙ୍କେ ଗୁଣ ବିବେକ ।

ଶେଷେ ଯେଉ ଅଙ୍କ ।

ତିନିରେ ଗୁଣି ଦିନ ତାକୁ ଲେଖ ।୧୨।

 

ବାକୀ ଅଙ୍କ ଯେତେ ସେ ମାସ ହେଲା ।

ଏରୂପେ ନିଜ ଅନ୍ତର ହୋଇଲା ।

ତହୁଁ ମୂଳ ପିଣ୍ଡ ରଖିବ ପୁଣି ।

ତା’ପରେ ଯେଉଁ ଗ୍ରହଦଶା ଜାଣି ।

ଗୁଣିଣ ସତ୍ୱରେ ।

ମାସ ଦିନ କର ପୂର୍ବ ବିଚାରେ ।୧୩।

 

ଏରୂପେ ଶେଷ ନବ ସଂଖ୍ୟା ଯାଏ ।

ବିଚାରି ରଖିଲେ ସ୍ୱଦଶା ହୋଏ ।

ଏହାର ନାମ ଅନ୍ତର୍ଦଶା ଜାଣ ।

ପ୍ରତ୍ୟନ୍ତର ଏବେ କହିବା ପୁଣ ।

ବିଚାରି ଚିତ୍ତରେ ।

ଗୁଣି ହରି ବୁଝ ସୂତ୍ରପାତରେ ।୧୪।

 

ଅନ୍ତରଦଶାକୁ ଦିନ କରିବ ।

ଶଏ କୋଡ଼ିକରେ ତାକୁ ହରିବ ।

ନ ଛିଡ଼ିଲେ ଦଣ୍ଡ ଲିତା କରିଣ ।

ସେହି ହରଣରେ ହରି ତତ୍‌କ୍ଷଣ ।

ଲବଧ ରଖିବ ।

ଦଶା ବରଷରେ ତାକୁ ଗୁଣିବ ୧୫

 

ଯେ ହେବ ଫଳ ପ୍ରତ୍ୟନ୍ତର ସେହି ।

କ୍ରମେ ନବଗ୍ରହ ଫଳକୁ ଏହି ।

କ୍ରମରେ ଆଣି ବୁଝିବ ସୁବୋଧ ।

ପ୍ରତ୍ୟନ୍ତରକୁ ବିଶାଶଏ ବାଧ ।

କରି ଲାଭ ରଖ ।

ଦଶା ବର୍ଷେ ଗୁଣି ସୂକ୍ଷ୍ମକୁ ଦେଖ ।୧୬।

 

ସୂକ୍ଷ୍ମକୁ ସେହିରୂପେ ବିଶାଶଏ ।

ହରି ଦଶାରେ ଗୁଣିଲେ ଯେ ହୋଏ ।

ପ୍ରାଣ ସେହୁ ମନେ କର ସୁଜାଣ ।

କ୍ରମରେ ନବ ଗ୍ରହଙ୍କର ଆଣ ।

କରି ମତି ସ୍ଥିର ।

ହରଣ ଗୁଣନର ଏ ବେଭାର ।୧୭।

 

ଶିଶୁଜନଙ୍କ ବୋଧକୁ ବିଚାରି ।

କହିଲି ସଂକ୍ଷେପରେ ମୁ ପ୍ରଚାରି ।

ଭାଷା ପ୍ରବନ୍ଧରେ ହେ ବିଦ୍ଧୁଜନ ।

ଏଥିରେ ମୋର ଯେ ଦୋଷ ନ ଘେନ

ଗଲି ମୁଁ ଶରଣ ।

ତୁମ୍ଭପାଶେ ଭାଷେ ବିଦ୍ୟାଭୂଷଣ ।୧୮।

 

ସପ୍ତମ ଛାନ୍ଦ

ରାଗ-କଳଶା ବାଣୀ

 

ଶୁଣ ଜନେ ମନ ଦେଇ ଅପୂର୍ବଚରିତ ।

ଶୁଭାଶୁଭ ଗ୍ରହଫଳ କରିବା ଉକତ ।

ଯହିଁ ତହିଁ ଥିଲେ ଚାରି ଗ୍ରହ ଏକତ୍ୱରେ ।

ପୁଂସେ ରାଜଯୋଗ ବିଟପାତ୍ୱ ସ୍ତୀରୀଠାରେ ଯେ ।୧।

 

ତାର ରଙ୍ଗଫଳ ଏବେ କହୁଥାଇଁ ଶୁଣ ।

ରବି ଶନି ସଙ୍ଗେ କୁଜ ଥିଲେଟି ପ୍ରମାଣ ।

ମହାଦାରିଦ୍ର ଦୋଷ ଏ ମନେ ସ୍ଥିର କର ।

ଧନପତି* ସୁତ ହେଲେ ହୁଅଇ ଚାକର ଯେ ।୨।

 

*କୁବେର ।

 

କୁମ୍ଭ ମୀନ ମେଷ ବୃଷ ମିଥୁନ ତୁଳରେ ।

ଥିଲେ ସର୍ବଗ୍ରହ ଲଗ୍ନସହିତ ବେଭାରେ ।

ଦଣ୍ଡଛତ୍ରଯୋଗ ଏହୁ ମନେ ହେତୁ କର ।

ଦାସୀପୁତ୍ର ହେଲେ ନିଶ୍ଚେ ହୋଏ ନରେଶ୍ୱର ।୩।

 

ମେଷ ତୁଳ କର୍କଟ ମକର ଚାରିଘରେ ।

ଯେବେ ଥାନ୍ତି ସର୍ବଗ୍ରହେ ଲଗ୍ନସହିତରେ ଯେ ।

ଚତୁଃସାଗର ଯୋଗଟି ଏହାକୁ କହନ୍ତି ।

ଦରିଦ୍ରସୁତକୁ ହେଲେ କରଇ ନୃପତି ଯେ ।୪।

 

ଏକରାଶି ଛାଡ଼ି ଏକରାଶିରେ କ୍ରମରେ ।

ଯେବେ ଥାନ୍ତି ଗ୍ରହଗଣ ବୁଝ ସୁମନରେ ।

ହଂସପାଦଯୋଗ ବୋଲି ଏହାକୁଟି କହି ।

ଅବଶ୍ୟ ରାଜବିଭୂତି† ଫଳକୁ ଦିଅଇ ଯେ ।୫।

 

†ଐଶ୍ୱର୍ଯ୍ୟ ।

 

ଦୁଇ ଦୁଇ ଗ୍ରହ ଯେବେ ରାଶିମାନଙ୍କରେ ।

ବସିଥାନ୍ତି ଲଗ୍ନସହ ପଞ୍ଚଭବନରେ ।

ଶୁଭେ ବା ଅଶୁଭେ ହେଉ ସନ୍ଦେହତ ନାହିଁ ।

ହେଲେ ଦାସପୁତ ସିଂହାସନରେ ବସଇ ଯେ ।୬।

 

କକଡ଼ାରେ ଦେବଗୁରୁ† ମକରେ ମଙ୍ଗଳ ।

ରବି ଚନ୍ଦ୍ର ମେଷ ବୃଷେ ଶନି କିବା ତୁଳା ।

ଏତେ ସ୍ଥାନେ ଏତେ ଗ୍ରହ ଥିଲେ ରାଜଯୋଗ ।

କୁଳଅନୁସାରେ ସମ୍ପତ୍ତିକି କରେ ଭୋଗ ଯେ ।୭।

 

†ବୃହସ୍ପତି ।

 

ଯେବେ ସର୍ବଗ୍ରହ ପଞ୍ଚଘରେ ବସିଥାନ୍ତି ।

ଶୁଭ ବା ଅଶୁଭ ହେଉ ଏଥି ନାହିଁ ଭ୍ରାନ୍ତି ।

ପଞ୍ଚାନନଯୋଗ ଏହୁ ମନେ ହେତୁ କର ।

ସ୍ୱର୍ଗେ ଇନ୍ଦ୍ରପ୍ରାୟେ ପୂଜା ପାଏ ସେହୁ ନର ଯେ ।୮।

 

ବୃଷରେ ମିଥୁନେ କର୍କଟରେ ସିଂହେ କନ୍ୟେ ।

ରାହୁ ଯେବେ ବସିଥାଇ ବୁଝ ହେ ସୁମନେ ।

ସକଳସମ୍ପତ୍ତି ଭୋଗ ରାଜତ୍ୱ ଦିଅଇ ।

ରିପୁକୁଳ-ତୃଣ ବହ୍ନି ପରାୟେ ନାଶଇ ଯେ ।୯।

 

କୁଜ* ବୃହସ୍ପତି ଯେବେ ଏକଗୃହେ ଥାନ୍ତି ।

କି ଅବା ସେ ଦେବଗୁଋ କୁଜକୁ ଦେଖନ୍ତି ।

ତେବେ ସେ ଅଶେଷ ରିଷ୍ଟ ନାଶି ଶୁଭ ଦ୍ୟନ୍ତି ।

ଜନନୀସୁହୃଦ ସୁତଠାବରେ ରଖାନ୍ତି ଯେ ।୧୦।

 

*ମଙ୍ଗଳ ।

 

ଆରୋହଣୀ ହୋଇ ଶନି ଯେବେ ଧନୁଘରେ ।

ଥାନ୍ତି ତେବେ ଜନକୁ ସେ ଦଶାବିପାକରେ ।

ରାଜଯୋଗ ଫଳ ଦ୍ୟନ୍ତି ଅନ୍ୟଥା ନୁହଇ ।

ଏରୂପେ ଜ୍ୟୋତିଷବିଦମାନେ ଛନ୍ତି କହି ଯେ ।୧୧।

 

ଦଶମାଧିପତି କେନ୍ଦ୍ରେ ତ୍ରିକୋଣେ ବା ଧନେ ।

ଥାନ୍ତି କିବା ବଳବାନ ହୋଇ ଅନ୍ୟସ୍ଥାନେ ।

ତେବେ ଜାଣ ସିଂହାସନଯୋଗ ଏ ଅଟଇ ।

କୁଳ ଅନୁରୂପେ ପୂଜା ନରକୁ କରଇ ଯେ ।୧୨

 

କେନ୍ଦ୍ରେ ବା ତ୍ରିକୋଣେ ମେଷ ବୃଷ କନ୍ୟା ମୀଜ ।

ଏଥି ମଧ୍ୟେ ରବି ବୁଧ କରିଥିଲେ ସ୍ଥାନ ।

ଅନେକ ସୁଖ ଦିଅନ୍ତି ନୃପତି କରାନ୍ତି ।

ଯଥାକ୍ରମେ ଅନ୍ୟେ ଥିଲେ ଅଶୁଭ ପ୍ରାପତି ଯେ ।୧୩।

 

କର୍ମସ୍ଥାନେ ଏକା ହୋଇ ଯେବେ ବୃହସ୍ପତି ।

ବସିଥାଇ ପାପଦୃଷ୍ଟି ନୋହେ ତାରକତି ।

ଦୀର୍ଘାୟୁ ଧନୀ କରଇ ଏକ ପୁତ୍ର ଦେଇ ।

ହରିଭକ୍ତି କରି କ୍ଷେତ୍ରେ ମୃତ୍ୟୁକୁ କରଇ ଯେ ।୧୪।

 

ନବମସ୍ଥାନରେ ଯାର ରବିସୁତ ଥାଇ ।

ବୈକୁଣ୍ଠବାସୀ ସେ ଜନ ନିଶ୍ଚୟ ଅଟଇ ।

ଇହଲୋକେ ସୁଖଭୋଗ କରେ ଅତିଶୟ ।

ବୈକୁଣ୍ଠ ଗମଇ ଶେଷେ ନାହିଁଟି ସଂଶୟ ଯେ ।୧୫।

 

ଚତୁର୍ଥନାୟକ ଶୁଭସଙ୍ଗ ଲଭିଥାଇ ।

ଭାଗ ନାଥତୁଲେ କିବା ସ୍ୱସ୍ଥାନେ ଲଭଇ ।

ଏମନ୍ତ ଯୋଗରେ ଜନ୍ମ ହୁଏ ଯେଉଁ ଜନ ।

ସାମନ୍ତଗୁଣରେ ସେହୁ ହୁଅଇ ରଞ୍ଜନ ଯେ ।୧୬।

 

ଧନପତି* କର୍ମପତି† କର୍ମେ କି ଧନରେ ।

ରହିଥିଲେ ରାଜା କରେ ଦରିଦ୍ରଜନରେ ।

ନିଧନପ† ଯେବେ କର୍ମେ ଧନେ ବା ରହଇ ।

ରାଜପୁତ୍ର ହେଲେ ତାକୁ ଦରିଦ୍ର କରଇ ଯେ ।୧୭।

 

*ଲଗ୍ନ ଦ୍ୱିତୀୟାଧିପ ଗ୍ରହ ।

†ଲଗ୍ନ ଦଶମାଧିପ ଗ୍ରହ ।

†ଲଗ୍ନାଷ୍ଟମାଧିପ ।

 

 

ତୁଳେ ରବି ବିଚ୍ଛାଘରେ ନିଶାପତି୧ ଥାଇ ।

କର୍କଟେ ମଙ୍ଗଳ କନ୍ୟେ ଶୁକ୍ର ସଞ୍ଚରଇ ।

ମକରରେ ଦେବଗୁର୍‌୨ ବୁଧ ଥାଇ ମୀନେ ।

ମହାଦାରିଦ୍ର ଦୋଷ ଏ ଶୁଣ ବିବ୍ଦୁଜନେ ଯେ ।୧୮।

 

୧. ଚନ୍ଦ୍ର । ୨. ବୃହସ୍ପତି ।

 

କର୍ମ ଧର୍ମ ଦୁଇଘରେ ଯେବେ ପାପ ଥାଇ ।

ଧନପତି ପାପ ହୋଇ ପାପରେ ରହଇ ।

ଏ ଯୋଗେ ଜନ୍ମିଲେ ଜନ ଦରିଦ୍ର ହୁଅଇ ।

ଧନ ହେଲେ ପାପକର୍ମେ ବ୍ୟୟକୁ କରଇ ଯେ ।୧୯।

 

ଶୁଣ ଜନେ କହୁଥାଇଁ ସୁତର ବିଚାର ।

ପାପଗ୍ରହେ ବସିଥାନ୍ତି ଯେବେ ବ୍ୟୟ* ଘର ।

ସୁତପତି† ପାପ ହୋଇ କିବା ପାପେ ଥାଇ ।

ପାପେ ଯୁକ୍ତ ହେଲେ ନିଶ୍ଚେ ଅପୁତ୍ରୀ କରାଇ ଯେ ।୨୦।

 

*ଲଗ୍ନ ଦ୍ୱାଦଶ ।

†ଲଗ୍ନ ପଞ୍ଚମାଧିପତି ।

 

 

କର୍କଟରେ ଯେବେ ରବି ବାସ କରିଥାନ୍ତି ।

ତେବେ ସେ ଜନକୁ ନିଶ୍ଚେ ଅପୁତ୍ରୀ କରାନ୍ତି ।

ସୁତଗୃହେ ପାପ ଥିଲେ ସୁତରେ କଷଣ ।

କରଇ ଦଇବିଯୋଗେ ହୁଅଇ ଖଣ୍ଡନ ଯେ ।୨୧।

 

ସୁତପତି ସ୍ତିରୀ ଗ୍ରହ ହେଲେ ସୁତା ଜାତ ।

ନପୁଂସକ ଗ୍ରହ ହେଲେ କରେ ଗର୍ଭପାତ ।

ପୁଂସ ଗ୍ରହ ହେଲେ କରେ ପୁରୁଷ ସନ୍ତତି ।

ଏରୂପେ ବୁଝ ସୁଜନେ ଗ୍ରହଙ୍କର ରୀତି ଯେ ।୨୨।

 

କଳତ୍ରସ୍ଥାନ ବିଚାର କହିବା ସୁଜନେ ।

ଯଥାବିଧି ଅନୁସାରେ ଶୁଣ ଧୀରମନେ ।

କଳତ୍ରନାୟକ ପାପେ କିବା ଶୁକ୍ରସଙ୍ଗେ ।

ଥିଲେ ଦୁଇଜାୟା କରେ ଯଥା ରିଷ୍ଟଯୋଗେ ଯେ ।୨୩।

 

କଳତ୍ରସ୍ଥାନରେ ଯେତେ ଗ୍ରହ ବସିଥାନ୍ତି ।

ତେତେ ଜାୟା ସେ ଜନର ଅବଶ୍ୟ କରାନ୍ତି ।

ଜାୟାସ୍ଥାନେ ରବି କୁଜ ଶନି ରାହୁ କେତୁ ।

ବାସ କରିଥିଲେ ଜାୟାହୀନେ ହୋଏ ମୃତ୍ୟୁ ଯେ ।୨୪।

 

ଦ୍ୱିତୀୟ ଚତୁର୍ଥ ସପ୍ତ ଅଷ୍ଟମ ଦ୍ୱାଦଶ ।

ଏଥି କାହିଁ ଭୂମିସୁତ† କରିଥିଲେ ବାସ ।

ପୁରୁଷ କୋଷ୍ଠାରେ ଥିଲେ ସ୍ତୀରୀକି ନାଶଇ ।

ସ୍ତୀରୀର ହେଲେଟି ପତିବିଚ୍ଛେଦ କରାଇ ଯେ ।୨୫।

 

†ମଙ୍ଗଳ ।

 

ଏରୂପେ ଅନେକ ଫଳ ଜ୍ୟୋତିଷ ପ୍ରମାଣ ।

କହି କେ ପାରିବ ତାହା ମନୁଷ୍ୟ ହୋଇଣ ।

ଶ୍ରୀ ଗୁରୁ-କୃପାରୁ କିଛି ଫଳ କଲି ଗୀତ ।

ନ ଘେନ ମୋ ଦୋଷ ବିଦ୍ୟାଭୂଷଣ ରଚିତ ଯେ ।୨୬।

 

ଅଷ୍ଟମ ଛାନ୍ଦ

ରାଗ-ରସ କୋଇଲା ବାଣୀରେ

 

ଶୁଣ ବିଦୁ ଜନେ ମନକୁ ଦେଇ ।

ଶିଶୁ ରିଷ୍ଟଆଦି କହୁଅଛଇଁ ।

ଅଶ୍ୱିନୀ ମଘା ମୂଳା ତିନି ଆଦି ।

ତିରିଶ ଦଣ୍ଡକୁ ଗଣ୍ଡ ସମ୍ପାଦି ସେ ।

ଜ୍ୟେଷ୍ଠା ରେବତୀ ଅଶ୍ଳେଷା ଯେ ।

ଏମାନଙ୍କ ଅନ୍ତ ଭାଗଗଣ୍ଡ ହୋଏ

ଶୁଣ ତାହାଙ୍କର ଦଶା ଯେ ।୧।

 

ଦିବା ଗଣ୍ଡ ଜ୍ୟେଷ୍ଠା ମୂଳା ଦୁଇର ।

ଅଶ୍ଳେଷା ମଘା ଗଣ୍ଡ ଜାମିନୀର ।

ରେବତୀ ଅଶ୍ୱିନୀ ଦୁଇ ସନ୍ଧ୍ୟାର ।

ଶୁଣ ଫଳ ଏଥି କାତ ଜନର ସେ ।

ସନ୍ଧ୍ୟାଗଣ୍ଡେ ଶିଶୁ ନାଶ ଯେ ।

ରାତ୍ରିଗଣ୍ଡେ ମାତୃ ବିଚ୍ଛେଦ କରଇ ।

ଦିବା ଗଣ୍ଡେ ପିତୃଧ୍ୱଂସ ଯେ ।୨।

 

ଅଶ୍ୱିନୀ ଗଣ୍ଡ ଷୋଡ଼ଶ ବରଷ ।

ମଘା ଆଠ ମୂଳା ଚାରି ବିଦୁଷ ।

ଜ୍ୟେଷ୍ଠା ଅଶ୍ଳେଷା ଦୁଇ ଦୁଇ ଜାଣ ।

ରେବତୀ ଏକ ବରଷ ପ୍ରମାଣ ସେ ।

ଏରୂପରେ ଗଣ୍ଡ ରିଷ୍ଟ ଯେ ।

ବୁଝ ବିଦୁଜନେ ଗଣ୍ଡ ରିଷ୍ଟ ଶାନ୍ତି ।

କଲେ ଦୋଷ ହୁଏ ନଷ୍ଟ ଯେ ।୩।

 

ନବଗ୍ରହ ରିଷ୍ଟ ଶିଶୁକାଳରେ ।

ଯେରୂପେ ହୋଏ ଶୁଣ ସୁଜ୍ଞ ନରେ ।

ପାପଗ୍ରହ ଥିଲେ କେନ୍ଦ୍ର ତ୍ରିକୋଣେ ।

ଷଷ୍ଠ ଅଷ୍ଟମେ ଶୁଭଗ୍ରହମାନେ ସେ ।

ଥାଇଁ ସୂର୍ଯ୍ୟୋଦୟେ ଜାତ ଯେ ।

ହେଲେ ସେ ବାଳକ ସଦ୍ୟଯମ ।

ଲୋକ ଗମନ କରେ ନିଶ୍ଚିତ ଯେ ।୪।

 

ସପ୍ତମ ପଞ୍ଚମ ନବ ଦ୍ୱାଦଶ ।

ଲଗ୍ନ ରନ୍ଧ୍ରେ ପାପୟୂତ ନିଶୀଶ ।

ଶୁକ୍ର ବୁଧ ଗୁରୁ ଏ ତିନି ଖଗ ।

ନ ଦେଖି ବା ନୋହିଥିବେ ସେ ଯୋଗ ସେ ।

ଏଯୋଗେ ଶିଶୁଜନ୍ମିଲେଯେ ।

ଅବଶ୍ୟ ବିନାଶ ହୋଏ ଏହୁ ଭାଷ

ଜ୍ୟୋତିଷେ ବିଦୂଷ ବୋଲେ ଯେ ।୫।

 

ଲଗ୍ନେ ଯେବେ ଭୂମିନନ୍ଦନ x ଥାଇ ।

ଶୁଭଗ୍ରହ ଦୃଷ୍ଟି ନ ପଡ଼େ ତହିଁ ।

ଷଷ୍ଠାଷ୍ଟମେ ଶନି ଯୁତ ମଙ୍ଗଳ ।

ଶୁଭ ଅଦୃଷ୍ଟୋ ସପ୍ତମରେ ମେଳ ସେ

ସଦ୍ୟ ଶିଶୁ ନାଶ ହୋଏ ଯେ ।

ମଙ୍ଗଳ ରିଷ୍ଟ ଏ ଅମଙ୍ଗଳ ଦିଏ,

ମିଥ୍ୟା ନୁହଇ ଏ ଭାଷ ଯେ ।୬।

 

xମଙ୍ଗଳ ।

 

କର୍କଟେ ଯେବେ ଶଶିସୁତ* ଥାଇ ।

ଲଗ୍ନ ଷଷ୍ଠାଷ୍ଟମେ ଦିବା ରହଇ ।

ନିଶାକର† ତାକୁ ଦେଖଇ ଯେବେ ।

ଚାରିବରଷରେ ମାରଇ ତେବେ ସେ ।

ଏକଥା ନୁହଇ ଆନ ଯେ,

ଜ୍ୟୋତିଷ ପଣ୍ଡିତ ଏହା ବୋଲିଛନ୍ତି

ବୁଝ ଜନେ ଦେଇଁ ମନ ଯେ ।୭।

 

*ବୁଧଗ୍ରହ, †ଚନ୍ଦ୍ର ।

 

ଦେବଗୁରୁ ଥାଇ ମଙ୍ଗଳ ଘରେ ।

ଲଗ୍ନ ଅଷ୍ଟମ ଯେବେ ହୋଇପାରେ ।

ରବି ଶଶୀ ଶନି ଭୌମ* ଏମାନେ ।

ଦେଖୁଥାନ୍ତି ଶୁକ୍ର ଦୃଷ୍ଟିବିହୀନେ ସେ ।

ତିନି ବରଷେ ମାରନ୍ତି ଯେ,

କଦାପି ଶିଶୁର ନୁହଇ ଯେ

ରକ୍ଷା ବିଜ୍ଞଜନେ କହିଛନ୍ତି ଯେ ।୮।

 

*ମଙ୍ଗଳ ।

 

କର୍କଟ ସିଂହେ ଯେବେ ଶୁକ୍ର ଥାଏ ।

ଅବା ଷଷ୍ଠାଷ୍ଟମେ ଦ୍ୱାଦଶେ ରହେ ।

ଅଶୁଭମାନେ ଦେଖୁଥାନ୍ତି ତାକୁ ।

ଅବଶ୍ୟ ସେ ପ୍ରାଣେ ମାରେ ଶିଶୁକୁ ଯେ ।

ଷଟ ବରଷେ ପ୍ରମାଣ ଯେ ।

ନୁହଇ ଏକଥା କଦାପି ଅନ୍ୟଥା

ଜନେ ହେତୁ କରି ଘେନ ଯେ ।୯।

 

ଲଗ୍ନେ ଶନି ଥାଇ ପାପଦୃଷ୍ଟିରେ ।

ଶିଶୁକୁ ମାରଇ ଷୋଳ ଦିନରେ ।

ପାପସଙ୍ଗେ ଥିଲେ ମାସକେ ନାଶ ।

ଅଥବା ବରଷେ ହୋଏ ଆୟୂଷ ସେ ।

ନିଶ୍ଚୟ ଅଟେ ଏ ଭାଷ ଯେ ।

ଗ୍ରହଗତି ବିଜ୍ଞପଣ୍ଡିତ ଉକତ

କହିଲି ନାହିଁ ମୋ ଦୋଷ ଯେ ।୧୦।

 

ଲଗ୍ନ ଚତୁର୍ଥ ସପ୍ତମ ଦଶମ ।

ଥାଇ ଏତେ ସ୍ଥାନେ ଯଦ୍ୟପି ତମ* ।

କ୍ରମେ ପଞ୍ଚାଦଶ ଷୋଳ ବାଇଶ ।

ବରଷେ ଶିଶୁର ହୁଅଇ ନାଶ ସେ

କହିଛନ୍ତି ବିଜ୍ଞ ଜନେ ଯେ ।

ଏହୁ ରାହୁ ରିଷ୍ଟ ଦିଏ ବହୁ କଷ୍ଟ

ଘେନ ଜନେ ସାବଧାନେ ଯେ ।୧୧।

 

*ରାହୁ ।

 

ସପ୍ତମକେନ୍ଦ୍ରେ ରାହୁ ଥିବ ବସି ।

ଦେଖୁଥିବେ ତାକୁ ସବିତା† ଶଶୀ†

ଶୁଭଦୃଷ୍ଟି ନ ଥିବ ଯେ ତା’ ଠାରେ ।

ବାଇଶ ବର୍ଷେ ମାରଇ ଶିଶୁରେ ଯେ ।

ଏପରି ଅନେକ ରିଷ୍ଟ ଯେ ।

ରାହୁର ଅଛଇ କେତେ କହିବଇଁ

କହୁଁ ହେବ ବହୁ କଷ୍ଟ ଯେ ।୧୨।

 

†ଚନ୍ଦ୍ର, †ନକ୍ଷତ୍ର ।

 

କେତୁ ଉଦୟ ନକ୍ଷତ୍ରରେ ଜାଣ ।

ଶିଶୁ ଯେବେ ହୋଇଥାଇ ଜନମ ।

ସେ ଋକ୍ଷ† ଆରଦ୍ରା କିବା ଅଶ୍ଳେଷା ।

ହୋଇଥିଲେ ଶିଶୁମରଣ ଦଶା ସେ ।

ଘଟଇ ଏକଥା ସତ ଯେ ।

ନବଗ୍ରହ ରିଷ୍ଟ କହିଲି ସଂକ୍ଷେପେ

ବୁଝ ଜେନ ଦେଇ ଚିତ୍ତ ଯେ ।୧୩।

 

†ନକ୍ଷତ୍ର ।

 

ଏପରି ନବଗ୍ରହଙ୍କର କେତେ ।

ରିଷ୍ଟ ଅଛି ଜ୍ୟୋତିଷ ଶାସ୍ତ୍ରମତେ ।

ରିଷ୍ଟଭଙ୍ଗ ସେହିରୂପେ ଅନେକ ।

ଅଛଇ ମନେ ଘେନ ସୁବିବେକ ହେ

ବୁଝି କର ଏବିଚାର ଯେ ।

ଯଥା ସଂକ୍ଷେପରେ କହିଲା ଗୀତରେ

ବିଦ୍ୟାଭୂଷଣ ଏ ଗିର ଯେ ।୧୪।

 

ନବମ ଛାନ୍ଦ

ରାଗ-ଦେଶାକ୍ଷ

 

ଲଗ୍ନାଷ୍ଟମେ ସୂର୍ଯ୍ୟ ଥାଇଁ ରାହୁ ଦୃଷ୍ଟି ଯେବେ ତା’ଠାରେ ପଡ଼ଇ ।

କିବା ଶନି ତାହା ସଙ୍ଗେ ଥାଇଁ ଅବା ରଙ୍ଗେ ତାକୁ ଦେଖୁଥାଇ ।

ହେ ନରେ । ହେଲେ ଏ ଯୋଗ ଏହି ସଂସାରେ ।

ବଞ୍ଚେ ସହସ୍ରେ ମାସ ସୁଖରେ ହୋ ।୧।

 

ଷଷ୍ଠରେ ଅଷ୍ଟମାଧିପ ରହି ରାହୁ ଯେବେ ଦେଖୁଥାଇ ତାକୁ ।

ଏ ଯୋଗେ ଜନ୍ମିଲେ ସାତଦିନୁଁ ବଳି ନ ଜିଆଇ ବାଳକକୁ ।

ହେ ନରେ । ସପ୍ତପତି ପାପସଙ୍ଗତରେ ।

ଥାଇ ଯେବା ସେ ମୋକ୍ଷ ସ୍ଥାନରେ ।୨।

 

ଶୁଭଗ୍ରହ ତାକୁ ଦେଖୁଥିଲେ ତେବେ ସାତ ରାତ୍ର ନ ଜିଅଇ ।

ଜ୍ୟୋତିଷକାରଙ୍କ ବଚନ ଏମନ୍ତ ଜ୍ୟୋତିଷରେ ଶୁଣି ଥାଇଁ ।

ହେ ନରେ । କହୁ ଥାଇଁଟି ଏଥି ଉତ୍ତାରେ ହେ ।

ବୁଝ ବିଚାରି ଧୀର ଚିତ୍ତରେ ହେ ।୩।

 

ସାତପତି ଭାଗ୍ୟନାଥ ସଙ୍ଗେ ଘେନି ବ୍ୟୟସ୍ଥାନେ ରହି ଥାଇ ।

କିବା ଭାଗ୍ୟପତି ସପ୍ତମପତିଙ୍କ ରଙ୍ଗେ ଭଙ୍ଗେ ଦେଖୁଥାଇ ।

ହେ ନରେ । ହୋଏ ବିପତ୍ତି ବର୍ଷ ମଧ୍ୟରେ ।

ନୋହେ ଏକଥା ଅନ ଯୋଗରେ ହେ ।୪।

 

କର୍ମାଧିପ ସଙ୍ଗେ ନିଧନାପତି ଲାଭଘରେ ରହି ଥାନ୍ତି ।

ଲଗ୍ନ ସଙ୍ଗତରେ ଗୁରୁ ଶୁକ୍ର ଦୁହେଁ ଯେବେ କରିଥାନ୍ତି ସ୍ଥିତି ।

ହେ ଜନେ । ଶତାୟୂଷ ହୋନ୍ତି ପ୍ରାଣିମାନେ ।

ନୋହେ ଆନ ଏହା ଘେନ ମନେ ହେ ।୫।

 

*ମୋକ୍ଷାଧିପ ସଙ୍ଗେ ଆଠନାଥ ଯେବେ କେନ୍ଦ୍ରସ୍ଥାନେ ରହିଥାଈ ।

ଶତାୟୂ କରଇ ଏଯୋଗେ ଜନ୍ମିଲା ଜନକୁ ସନ୍ଦେହ ନାହିଁ ।

ହେ ନରେ । ଆଠନାଥ କିବା ତୁଙ୍ଗଘରେ ।

କିବା ଲାଭେ କି ଶୁଭସଙ୍ଗିରେ ।୬।

 

*ନବମାଧିପ ।

 

ଏ ଯୋଗେ ଜନ୍ମିଲେ ଅଶୀବର୍ଷ ଜିଏ ନୁହଇ ଏକଥା ଆନ ।

ସାତ ନବ ପଢ଼ି ଆଠ ଘରେ ସ୍ଥିତି କଲେ ଏକତ୍ରରେ ଘେନ ।

ହେ ନରେ । ଜାତି ଶିଶୁ ସାତ ସମ୍ୱତ୍ସରେ ।

ଗତି କରେ ଶମନ ପାଶରେ ହେ ।୭।

 

ଅଷ୍ଟମାଧିପତି ଖଳଗ୍ରହସଙ୍ଗେ ଯେବେ ଥାଇ ଲାଭ ଘରେ ।

କିବା ଖଳଗ୍ରହ ଦେଖୁଥାନ୍ତି ଯେବେ ତେବେ ଆଠ ବରଷରେ ।

ହେ ନରେ । ନାଶ ହୋଏ ସେ ଶିଶୁ ସତ୍ୱରେ ହେ ।

କହୁଛନ୍ତି ଏହା କେରଳରେ ହେ ।୮।

 

ନବମ ଅଷ୍ଟମ ଦୁଇ ନାଥ ଯେବେ ଦଶମ ସ୍ଥାନରେ ଥାନ୍ତି ।

ରାହୁ ଦୃଷ୍ଟି ଯେବେ ସେ ଦୁହିଙ୍କଠାରେ କରୁଥାଇ ସ୍ୱଚ୍ଛେ ଗଢ଼ି ।

ହେ ନରେ । ତେବେ ମାରଇ ଆଠ ବର୍ଷରେ ।

ନୋହେ ଏକଥା ଆନ ବିଚାର ହେ ।୯।

 

ମେକ୍ଷାଧିପ ଯେବେ ଲଗ୍ନପତି ସଙ୍ଗେ ହୋଇଥାଇ ନୀଚଗତି ।

ଭାଗ୍ୟନାଥ ଦେଖୁ ଥିଲେହେଁ ବିଂଶତି ବରଷେ କରେ ବିପତ୍ତି ।

ହେ ନରେ ଲଗ୍ନ ପରି ଭାଗ୍ୟ ପତି ମେଳେ ହେ ।

ଥାନ୍ତି ଯେବେ ରାହୁ ଦୃଷ୍ଟି ସ୍ଥଳେ ହେ ।୧୦।

 

କର୍ମ ସ୍ଥାନେ ବାସ କରିଥିଲେ ଦଶ ବରଷେ କରଇ ନାଶ ।

ଲଗ୍ନପତି ପାପଗ୍ରହ ସଙ୍ଗ ପାଇଁ ରାହୁ ସଙ୍ଗେ କଲେ ବାସ ।

ହେ ନରେ । ଶନି ଦୃଷ୍ଟି ଥିଲେ ତାଙ୍କଠାରେ ।

ମାରେ ବରଷକେ ତାକୁ ଖରେ ହେ ।୧୧।

 

ଲଗ୍ନପତି ପାପସଙ୍ଗତକୁ ପାଇ ନବମପତି ସଙ୍ଗରେ ।

ଏକ ସ୍ଥାନେ ଥିଲେ ମାରଇ ନିଶ୍ଚୟେ ଅଷ୍ଟମ ବରଷଠାରେ ।

ହେ ନରେ । ରିଷ୍ଟ ଭଙ୍ଗ ଥିଲେ ସୁକର୍ମରେ ହେ ।

କଷ୍ଟ ଦିଅଇ ବହୁ ପ୍ରକାରେ ହେ ।୧୨।

 

କର୍ମସ୍ୱାମି ସଙ୍ଗେ ଲଗ୍ନ ପ୍ରଭୁ ଯେବେ ପଞ୍ଚମ ଘରରେ ଥାଇ ।

ପାଞ୍ଚ ବରଷରେ ନିଶ୍ଚୟେ ମାରଇ ଏକଥା ଆନ ନୁହଇ ।

ହେ ନରେ । କର ବିବେକ ଧୀର ଚିତ୍ତରେ ହେ ।

ବିଜ୍ଞେ କହିଛନ୍ତି ଜ୍ୟୋତିଷରେ ହେ ।୧୩।

 

ଲଗ୍ନପତି ହୀନବଳ ହୋଇ ଏକା ଅଷ୍ଟମ ଘରରେ ଥିଲେ ।

କି ଅବା କେନ୍ଦ୍ରରେ ଥିଲେଟି ବତିଶ ବରଷେ ମାରଇ ହେଳେ

ହେ ନରେ । ଆଠ ଦଶ ପ୍ରଭୁ ଏକମେଳ ହେ ।

ପାପଗ୍ରହ ସଙ୍ଗେ ବସି ଥିଲେ ହେ ।୧୪।

 

କିବା ପାପ ଦୃଷ୍ଟି ସମ୍ୱନ୍ଧରେ ଥିଲେ ବତିଶ ବରଷେ ମାରେ ।

ପାପସଙ୍ଗତରେ ଅଷ୍ଟମନାୟକ ଥିବାରୁ ଅଳ୍ପାୟୁ କରେ ।

ହେ ନରେ । ଯେବେ ଲଗ୍ନପତି ତା’ ସଙ୍ଗରେ ।

ଥାଇ ଅତି କ୍ଷୀଣାୟୂଷ କରେ ହେ ।୧୫।

 

ନିଜଗୃହେ କିବା ମିତ୍ରଭବନରେ ଶନି ଓଜବଳେ ଥାଇ ।

ଅଷ୍ଟମ ନାଥ ତା ନିଜ ଘରେ ରହି ଯେବେ ତାକୁ ଦେଖୁ ଥାଇ ।

ହେ ନରେ । ତେବେ ଅତି ଦୀର୍ଘାୟୂଷ କରେ ।

ଏହା କହିଛନ୍ତି କେରଳରେ ହେ ।୧୬।

 

ଲଗ୍ନପତି ଓଜବନ୍ତ ହାଇ ଯେବେ ଶୁଭଗ୍ରହ କେନ୍ଦ୍ରେ ଥାନ୍ତି ।

ସେହି ଶୁଭମାନେ ସମ୍ପୂର୍ଣ୍ଣରେ ଯେବେ କେନ୍ଦ୍ରପତିକି ଦେଖନ୍ତି ।

ହେ ନରେ । ପୂର୍ଣ୍ଣ ଆୟୂଷ ଦିଅନ୍ତି ଖରେ ।

ଶୁଭେ ବଞ୍ଚାନ୍ତି ମର୍ତ୍ତ୍ୟ ଲୋକରେ ।୧୭।

 

ଶୁଭଗ୍ରହମାନେ ଯେଝାଘରେ ଥାଇ ଚନ୍ଦ୍ର ଥିଲେ ତୁଙ୍ଗ ମେଳେ ।

ଲଗ୍ନପତି ନିଜ ଓଜଲଗ୍ନେ ଥିଲେ ଷାଠିଏବରଷେ ମାରେ ।

ହେ ନରେ । ଶୁଭେ ଥିଲେ ମୂଳ ତ୍ରିକୋଣରେ ।

ବୃହସ୍ପତି ଥାଇ ତୁଙ୍ଗଘରେ ।୧୮।

 

ଲଗ୍ନପତି ନିଜ ଓଜେ ଥିଲେ ଅଶୀବରଷେ କରଇ ନାଶ ।

ଏଥୁଅନ୍ତେ ଆନକଥା ଶୁଣ ନରେ କରୁଥାଇଁ ପରକାଶ ।

ହେ ଜନେ । ବୁଧ ଓଜେ ଥିଲେ କେନ୍ଦ୍ରସ୍ଥାନେ ।

କେହି ଗ୍ରହ ନ ଥିଲେ ନିଧନେ ।୧୯।

 

ତିରିଶବରଷ ବଞ୍ଚଇ ସେ ନର ଏ କଥା ନୁହଇ ଆନ ।

ଯେବେଟି ବୁଧର ସେହି କେନ୍ଦ୍ରଗୃହ ହୋଇ ଥାଇ ନିଜ ସ୍ଥାନ ।

ହେ ଜନେ । ତାକୁ ଦେଖୁଥାନ୍ତି ଶୁଭମାନେ ।

ମୃତ୍ୟୁ ଚାଳିଶେ ଘଟଇ ଘନେ ।୨୦।

 

ଆପଣା ତୁଙ୍ଗରେ କିବା ଏକାଦଶେ ଶଶୀ ଯେବେ ବସିଥାଇ ।

ଶୁଭଗ୍ରହ ସପତମେ ଥିଲେ ଜାଣ ଷାଠିଏବର୍ଷେ ମାରଇ ।

ହେ ଜନେ । ଧନେ ଥାନ୍ତି ଯେବେ ଶୁଭମାନେ ।

ଜୀବ ବିଚ୍ଛାରେ କି ଲଗ୍ନସ୍ଥାନେ ।୨୧।

 

ଥିଲେ ଅଶୀବର୍ଷ ଆୟୂଷ ହୁଅଇ ଜାତକାଳଂକାରେ ବୋଲେ ।

ଆଠପତି କିବା ଧର୍ମପତି ଖଳଗ୍ରହଦୃଷ୍ଟି ପରେ ଥିଲେ ।

ହେ ନରେ । ଷଷ୍ଠାଧିପ ଥିଲେ ନିଧନରେ ।

ମୃତ୍ୟୁ ହୋଏ ବୟାଶୀବର୍ଷରେ ।୨୨।

 

ଏପରିରେ କେତେ ଆୟୂର ବିଧାନ ବୋଲିଛନ୍ତି ଗ୍ରନ୍ଥକାରେ ।

ଲେଖିଲେ ଅନେକ ପୁସ୍ତକ ହୋଇବ କେ ଅବା ତା ବର୍ଣ୍ଣି ପାରେ ।

ହେ ନରେ । କିଛି କହିଲ ଦେଶଭାଷାରେ ।

ଶିଶୁମାନଙ୍କ ବୋଧଭାବରେ ।୨୩।

 

ସିଂହରେ ମିଥୁନେ କୁମ୍ଭରେ କାର୍ମୂକେ ଯେବେ ପାପଗ୍ରହେ ଥାନ୍ତି ।

ତେବେ ବଜ୍ରପାତେ ମରଣ ଲଭଇ ଅବଶ୍ୟଟି ସେହୁ ବ୍ୟକ୍ତି ।

ହେ ନରେ ଚନ୍ଦ୍ର ଥିଲେ ସୂର୍ଯ୍ୟଙ୍କର ଘରେ ।

ରାହୁ ଥାଏ କି ତାଙ୍କ ସଙ୍ଗରେ ।୨୪।

 

ଲଗ୍ନ ଅଷ୍ଟମରେ କିବା ସପ୍ତମରେ ଥିଲେ ପଶୁଦ୍ୱାରା ନାଶ ।

ହୁଅଇ ଅବଶ୍ୟ ଏ କଥାଟି ଆନ ନୋହେ ଏ ଜ୍ୟୋତିଷଭାଷ ।

ହେ ନରେ । ଯେବେ ବୁଧ ଥାଇ ଶତ୍ରୁ ଘରେ ।

ଶତ୍ରୁ ଦୃଷ୍ଟେ ଶତ୍ରୁ ସଙ୍ଗତରେ ।୨୪।

 

ଷଷ୍ଠେ ବା ଅଷ୍ଟମେ ନିଶାପତି ଥିଲେ ଜଳଜନ୍ତୁଯୋଗେ ନାଶ ।

ଘଟଇ ଶୁଣ ହେ ଜନେ କରୁଥାଇ ଆନ କଥା ପରକାଶ ।

ହେ ନରେ । ନାରୀ କୋଷ୍ଠି କିଞ୍ଚିତ ବିଚାରେ ।

ଶୁଭ ଅଶୁଭ ଫଳ ମିଶ୍ରରେ ।୨୫।

 

ଲଗ୍ନର କି ଅବା ଚନ୍ଦ୍ରର ସପ୍ତମେ ଯେବେ ଭୂମିସୁତ ଥାଇ ।

ତେବେ ସେ ନାରୀକି ବାଳୁତକାଳରୁ ବିଧବା ନିଶ୍ଚେ କରାଇ ।

ହେ ନରେ । ରବି ଥିବେ ଲଗ୍ନ ସପ୍ତମରେ ।

ପତି ଛାଡ଼େ ସେ କନ୍ୟାକୁ ଖରେ ।୨୬।

 

ଲଗ୍ନେ ଦୁଇପାପ କି ଅବା ତ୍ରିପାପ ଥିଲେ ଜାଣ ହେତୁ କରି ।

ବିଧବା ହୁଅଇ ଅବଶ୍ୟ ପାର୍ବତୀସମାନ ହୋଇଲେ ନାରୀ ।

ହେ ନରେ । ମୀନ ଧନୁ କୁମ୍ଭ ମକରରେ ।

ଯେବେ ମଙ୍ଗଳ ଥାଇ ଶୁଭରେ ।୨୭।

 

ଏ ଯୋଗେ ପୁରୁଷ ଜନ୍ମିଲେଟି ରାଜା ସମାନରେ ଭୋଗ ପାଇ ।

ନାରୀ ଜାତ ହେଲେ ପତିବ୍ରତା ହୋଇ ଉତ୍ତମକାନ୍ତ ଲଭଇ ।

ହେ ନରେ । ବହୁତରେ ସୁଖଭୋଗ କରେ ।

କେବେ ବିରସ ନୋହେ ମନରେ ।୨୮।

 

ଚନ୍ଦ୍ର ଅଷ୍ଟମରେ ମଙ୍ଗଳ ଭାସ୍କର ଶନିଶ୍ଚର ଯେବେ ଥାନ୍ତି ।

ସପ୍ତମରେ ଶୁକ୍ର କିବା ପାପ ଥିଲେ ବିନାଶ ହୁଅଇ ପତି ।

ହେ ନରେ ଶୁଭଗ୍ରହ ଥିଲେ ସପ୍ତମରେ ।

ରାଜା ତୁଲ୍ୟ ସୁଖୀ ପତି କରେ ।୨୯।

 

ମଙ୍ଗଳ ଭାସ୍କର ଦୁହିଙ୍କ ମଧ୍ୟରେ ଯେବେ ଥାଇ ନିଶାକର ।

ଅପତ୍ୟ ବିନାଶ ହୋୟେ ଦୁର୍ଗାସମ ଯୋଗ ଥାଉ ସେ ନାରୀର ।

ହେ ନରେ । ପାପ ଦୁଇ ତିନି ସପ୍ତମରେ ।

ବେଶ୍ୟା କୁଳଟା ବିଧବା କରେ ।୩୦।

 

ସେହିରୂପେ ଲଗ୍ନ ସପ୍ତମରେ ଶୁଭଗ୍ରହ ଦୁଇ ତିନି ଥିଲେ ।

ରାଜା ତୁଲ୍ୟ ଧନୀ ଅଶେଷ ଗୁଣରେ ଯୁକ୍ତ ହୋଇ ପତି ମିଳେ ।

ହେ ନରେ । ଜୀବ ଥିଲେ କେନ୍ଦ୍ର ତ୍ରିକୋଣରେ ।

ପତି ଧନ ସୁତ ପୂର୍ଣ୍ଣ କରେ ।୩୧।

 

ଏପରି ଅନେକ ଯୋଗଫଳ ଅଛି କେ ତାହା ପାରିବ କହି ।

ମୁ ମନ୍ଦବୁଦ୍ଧି ବା କାହୁଁ ତା ଜାଣିବି ରୁଷିବର୍ଗ ମୂକ ଯହିଁ ।

ହେ ଜନେ । ବିଦ୍ୟଭୂଷଣ କହେ ବଚନେ ।

ଗୁଣିଗୁଣ ବୁଝ ଧୀରମନେ ।୩୨।

 

ଦଶମ ଛାନ୍ଦ

ରାଗ-ଆଷାଢ଼ ଶୁକ୍ଳ

 

ବୁଧ ଗୁରୁ ସଙ୍ଗତେ ବିଦ୍ୟାଈଶ ।

ତ୍ରିକସ୍ଥାନରେ କରିଥିଲେ ବାସ ।

ମୂର୍ଖ କରାନ୍ତି ଜନକୁ ଅବଶ୍ୟ ।

ସେମାନେ ଧର୍ମ କେନ୍ଦ୍ର ନିଜ ବାସ ।

ଥିଲେ ବିଦ୍ୟାବନ୍ତ ।

ଉତ୍ତମେ କରାନ୍ତି ଶୁଣ ପଣ୍ଡିତ ।୧।

 

ତ୍ରିକେ ଥିଲେ ଜୀବ କି ବାକ୍ୟେଶ୍ୱର ।

ନର ନୁହଇ ବାକ୍ୟରେ ଚତୁର ।

ବୃହସ୍ପତିଙ୍କଠାରୁ ସୁତପତି ।

ଯେବେ ହୋଇଥାଇ ପଞ୍ଚମେ ସ୍ଥିତ ।

କିବା ଲଗ୍ନ ସୁତ ।

ଭାଗ୍ୟନାଥମାନେ ହୋଇ ପ୍ରଶସ୍ତ ।୨।

 

ଥାନ୍ତି ଅଷ୍ଟ ଷଷ୍ଠ ଏକାଦଶରେ ।

ତେବେ ଅପୁତ୍ରିକ ହୁଅନ୍ତି ନରେ

କାଳକ୍ଷେପେ ବା ହୋଏ ଶୁଭକର ।

ସୁତେ କିବା କର୍କଟେ ନିଶାକର ।

ଥିଲେ ବହୁ ସୁତ ।

ସୁତା ହୁଅନ୍ତି ନୁହଇ ଏ ବ୍ୟର୍ଥ ।୩।

 

ସୁତସ୍ଥାନରେ ଥାଇ ବୃହସ୍ପତି ।

ତହିଁ ପଞ୍ଚମେ ପାପଗ୍ରହ ସ୍ଥିତି ।

ଏ ଯୋଗେ ସୁତହୀନ ହୋନ୍ତି ନରେ ।

ପାପ ବ୍ୟୟେ ଥିଲେ ଏହିପ୍ରକାରେ

ବୃଷେ ବା ମିଥୁନେ ।

ଶନି ଥିଲେ ଏକ ପୁତ୍ର ଜନମେ ।୪।

 

କୁମ୍ଭଲଗ୍ନେ ଯେବେ ଶନି ରହଇ ।

ପଞ୍ଚପୁତ୍ର ହୋନ୍ତି କୁତର୍କ ବହି ।

ଯେବେ ସେ ମକରଲଗ୍ନରେ ଥାଇ ।

ଏକସୁତ ତ୍ରିସୁତା ଜାତ ହୋଇ ।

ସିଂହଲଗ୍ନେ ଆର ।

ଥିଲେ ଏକପୁତ୍ର ହୋଏ ନିକର ।୫।

 

ଲଗ୍ନ ତୃତୀୟେ ଚନ୍ଦ୍ରବୁଧ କାବ୍ୟ ।

ତିନିଗ୍ରହରୁ ଏକ ଯେବେ ଥିବ ।

ତିନି ଦୁହିତା କରାନ୍ତି ନିୟତ ।

ଗୁରୁ ଥିଲେ କେବଳ ନୋହେ ସୁତ ।

ମେଷ ବୃଷେ ତମ ।

କେତୁ ଥିଲେ ବଞ୍ଚପୁତ୍ର ଜନମ ।୬।

 

କକଡ଼ାରେ ଥିଲେ ଏପରି ଫଳ ।

ଦିଅନ୍ତି ବିଳମ୍ୱ ହୁଏ କେବଳ ।

ପାପ ବା ବୃହସ୍ପତି ସୁତଘରେ ।

ଚନ୍ଦ୍ର ପଞ୍ଚମେ କିବା ଅଷ୍ଟମରେ ।

ଥିଲେ ଯେ ତିରିଶ ।

ବରଷେ ବନୀତାର ଗର୍ଭବାସ ।୭।

 

ଅନଯୋଗେ ଏବେ ଶୁଣ ସୁଜନେ ।

କହୁଅଛି ଗ୍ରନ୍ଥ ବୁଝି ଯତନେ ।

ସେହିପରି ସୁତଭାବ ବିଚାର ।

ଏହା କେବେ ଆନ ନୋହେ ହେ ଧୀର

ଶୁଭଦୃଷ୍ଟିହୀନେ ।

ଯେତେ ଖଳ ଥାନ୍ତି ପଞ୍ଚମସ୍ଥାନେ ।୭।

 

ତେତେ ବରଷ ବିଳମ୍ୱ ହୁଅଇ ।

ଧର୍ମ ଅର୍ଜିଲେ ଅଳପେ ଫଳଇ

ପୁତ୍ର ପରି ଶୁଭ ଖେଚର ମେଳେ ।

ତୁଙ୍ଗେ କେନ୍ଦ୍ରେକିବା ତ୍ରିକୋଣେ ଥିଲେ ।

ପାଞ୍ଚ କିବା ଅଷ୍ଟ ।

ସୁତ ଜନ୍ମ କରାନ୍ତି ଯେ ଗରିଷ୍ଠ ।୮।

 

ମୋକ୍ଷାଧିପତି ସଙ୍ଗେ ପୁତ୍ରନାଥ ।

ଯେବେ ହୋନ୍ତି ଏକାଦଶରେସ୍ଥିତ

ଆଠପୁତ୍ର ଏକପୁତ୍ରୀ ହୁଅନ୍ତି

କିବା ନୀଚଦୃଷ୍ଟେ ପୁତ୍ରାଧିପତି ।

କି ନୀଚ ସଙ୍ଗରେ ।

ଥାଏ ରାହୁ ଦେଖୁଥାଏ ରଙ୍ଗରେ ।୯।

 

ଏଥୁ ଜାଣିବ ହେବେ ବହୁସୂତ ।

ଏପରି ନାନା ବଚନ ଉକତ ।

କେହୁ ତାହା ଅନ୍ତ କରି କହିବ ।

କେବଳ ଏହା ଜାଣନ୍ତି ଯେ ଶିବ ।

ଏବେ ଆନ କଥା ।

ଶୁଣ ଜନେ ଜ୍ୟୋତିଷ ନୋହେ ବୃଥା ।୧୦।

 

ଜାୟାସ୍ଥାନର କହିବା ବିଚାର ।

ସୁତନେ ଏଥି ମନ ଯୋଗକର ।

ସପ୍ତମପତି ଯେତେ ଗ୍ରହ ସଙ୍ଗେ ।

ବସିଥାଇ ସପ୍ତମଗୃହେ ରଙ୍ଗେ ।

ତେତିକି ବିବାହ ।

କରାନ୍ତି ଏଥିରେ ନାହିଁ ସନ୍ଦେହ ୧୧

 

କୁଟୁମ୍ୱପତି କିବା ଜାୟାନାଥ ।

ଶୁକ୍ରଗ୍ରହକୁ ଘେନିଣ ସଙ୍ଗାତ ।

ଷଷ୍ଠ ଅଷ୍ଟମ ଦ୍ୱାଦଶରେ ଥାଇ ।

ଯେତେ ପାପଗ୍ରହ ସଙ୍ଗକୁ ପାଇ ।

ତେତିକି ବିବାହ ।

କରାନ୍ତି ଏଥିରେ ନାହିଁ ସନ୍ଦେହ ୧୨

 

ସପ୍ତମଗୃହେ ଅଧିକାର ପାଇଁ ।

ଉଚ୍ଚେ ବା ନିଜ କ୍ଷେତ୍ରେ ରବି ଥାଇ

ସାତ ବିବାହ ଏ ଯୋଗେ ହୁଅଇ ।

ପଞ୍ଚମନାଥ ଜାୟାପତି ଦୁଇ ।

ତୃତୀୟାଧିପତି ।

ଦୃଷ୍ଟିରେ ଲାଭସ୍ଥଳେ କଲେ ସ୍ଥିତି ।୧୩।

 

ଜାଣ ପଞ୍ଚବିବାହକୁ କରାନ୍ତି ।

ଶୁକ୍ର ହୋଇଥାଇ ସପ୍ତମପତି ।

ପଞ୍ଚମପତି ତା ସଙ୍ଗରେ ଥିବ

ମୋକ୍ଷନାୟକ ତାକୁ ଦେଖୁଥିବ

ପଞ୍ଚମ ବିବାହ ।

ଏଥିରେ ହୁଅଇ ନାହିଁ ସନ୍ଦେହ ।୧୪।

 

ଧନପତି ସଙ୍ଗେ କଳତ୍ରପତି ।

ଯେବେ ଲଗ୍ନେ କରିଥାଇ ବସତି

ରାହୁ ଦେଖୁଥିଲେ ତେବେ ସେ ନାରୀ ।

ଅବଶ୍ୟ ହୁଅଇ କଳହକାରୀ

ନୁହଇ ଏ ଆନ ।

ପାଠକବର୍ଗେ ଶୁଣ ଦେଇ ମନ ।୧୫।

 

ଜାୟାପତି ଥିବ ସପ୍ତମଘରେ ।

ଯୁକ୍ତ ହୋଇଥିବ ପାପ ଖେଚରେ

ଏ ଯୋଗେ ବିଟପୀ ନିଜ ରମଣୀ ।

ଅବଶ୍ୟ ହୁଅଇ ଜ୍ୟୋତିଷବାଣୀ

ଏପରି ବୋଲଇ ।

ଶୁଣ ଜନେ ମୁଁ ପ୍ରକାଶ କରଇଁ ।୧୬।

 

ଆହେ ଜ୍ୟୋତିଷପଣ୍ଡିତ ନିକର ।

ଏହାକୁ ଦେଖି ମୋ ଦୋଷ ନ ଧର

ବାଳକମାନେ ଅଳପ କ୍ଳେଶରେ ।

ଜାଣିବେ କିଞ୍ଚିତ ଫଳ ଆଶରେ

ଏ ଗୀତ ପ୍ରକାଶ !

କଲି ଏଣୁ କ୍ଷମା କର ମୋ ଦୋଷ ।୧୭।

 

ମହମ୍ମଦୀୟ ବାରଶ ଚୌରାଶି ।

ସାଲ ବୃଷମାସ ଜାଣ ବିଶେଷି ।

ଜ୍ୟେଷ୍ଠମଳ କୃଷ୍ଣପକ୍ଷରେ ଶେଷ ।

କଲି ଯାହା ମୋତେ ହୋଇଲା ଦୃଶ୍ୟ

ପରିଚୟ ମୋର ।

ଦେଉଛି ପାଠକେ ମନେ ବିଚାର ।୧୮।

 

ଓଡ଼ିଶାର ମଧ୍ୟରେ ଏକାମ୍ରବନ ।

ତହିଁ ମଧ୍ୟେ ସୁନ୍ଦରପଦା ଗ୍ରାମ ।

ତହିଁ ନିବାସୀ ରଘୁନାଥ ନନ୍ଦ ।

ତାଙ୍କ ସାନପୁତ୍ର ମୁଁ ବଡ଼ ମନ୍ଦ ।

କପିଳେଶ ନାମ ।

ମୋହର କହିଲି ଶୁଣ ଉତ୍ତମ ।୧୯।

 

ସମାପ୍ତଃ